ସ୍ୱାମୀ ନା ସୈତାନ | ଲୁହାରଡରେ ନିଜ ସ୍ତ୍ରୀକୁ ପିଟିଛନ୍ତି ନୃଶଂସ ସ୍ୱାମୀ | ସ୍ତ୍ରୀଙ୍କୁ ପିଟିପିଟି କରି ଦେଇଛନ୍ତି ଲହୁଲୁହାଣ | ମା ଓ ଛୋଟ ଝିଅକୁ ଦେଉନାହାନ୍ତି ଖାଇବାକୁ | ମାଝିଅକୁ ମାଡ ମାରି ଘରୁ ବିଦା କରିଦେଇଛନ୍ତି ସ୍ୱାମୀ | ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ବାଳକାଟି ଗାଁରେ | ସ୍ୱାମୀ ଓ ଶାଶୂଘର ଲୋକଙ୍କ ନିର୍ଯାତନା ସହି ନପାରି ଆଜି କେନ୍ଦ୍ରାପଡା ଏସପି ମଡକର ସନ୍ଦିପ ସମ୍ପଦଙ୍କୁ ଭେଟି ଅଭିଯୋଗ କରିଛନ୍ତି ପୀଡିତା ।
କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ବାଳକାଟି ଗାଁର ବନ୍ଦନା ସାହୁ | ୮ ବର୍ଷ ତଳେ ସେ ନିକିରାଇ ଥାନା ଘାଗରାଡିଆ ଗାଁର ଶରତ ମାଝିଙ୍କୁ ବିବାହ କରିଥିଲେ । ତାଙ୍କର 6 ବର୍ଷର ଏକ ଛୋଟ ଝିଅ ରହିଛି । ବିବାହ ପରେ ତାଙ୍କ ସ୍ୱାମୀ ଶରତ ହାଇଦ୍ରାବାଦରେ ରହୁଥିବା ବେଳେ ସେ ଗାଁରେ ଶାଶୁଶଶୁରଙ୍କ ସହ ରହୁଥିଲେ | ଶାଶୁଘର ଲୋକ ତାଙ୍କୁ ନିର୍ଯାତନା ଦେବାରୁ ବନ୍ଦନା ସହିନପାରି ଶେଷରେ ସ୍ବାମୀଙ୍କ ନିକଟକୁ ହାଇଦ୍ରାବାଦ ଚାଲିଯାଇଥିଲେ । ହାଇଦ୍ରାବାଦରେ ମଧ୍ୟ ସ୍ୱାମୀ ତାଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଦେଲେ । ସ୍ବାମୀ ଶରତ ମାଝି ପ୍ରତିଦିନ ବନ୍ଦନାଙ୍କୁ ମାଡ ମାରୁଥିଲେ | ପ୍ରତିବାଦ କରିବାକୁ ମା ଝିଅଙ୍କୁ ଖାଇବାକୁ ଦେଉନଥିଲେ | ଲୁହାରଡ୍ ରେ ପିଟିପିଟି ଲହୁଲୁହାଣ କରିବା ସହ ଘରୁ ବାହାର କରି ଦେଲେ । ବନ୍ଦନା ସ୍ବାମୀଙ୍କ ବିରୋଧରେ ହାଇଦ୍ରାବାଦ କମିସନରେଟ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ହେଲେ ପୋଲିସ କିଛି ବୁଝିଲେନି । ଭୋକ ଉପାସରେ ମା ଝିଅ କେଉଁଠି ରହିବେ ସେ ନେଇ ସମସ୍ୟା ସୃଷ୍ଟି ହେଲା | ଫଳରେ ବନ୍ଦନା ଓଡିଶା ଫେରି ଆସି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଅଭିଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ କେନ୍ଦ୍ରାପଡା ଏସ୍ ପିଙ୍କ ନିକଟକୁ ବନ୍ଦନାଙ୍କୁ ପଠାଇଛନ୍ତି । ବନ୍ଦନା ଆଜି ତାଙ୍କ ବାପାଙ୍କ ସହିତ କେନ୍ଦ୍ରାପଡା ଏସ୍ ପିଙ୍କୁ ଭେଟି ସମସ୍ତ ନିର୍ଯ୍ୟାତନା ସମ୍ପର୍କରେ ଅଭିଯୋଗ କରିଛନ୍ତି ।