ଶ୍ମଶାନ ପାଲଟିଛି ୟୁକ୍ରେନ ରାଜଧାନୀ କିଭ । ଯେଉଁଆଡେ ଚାହିଁଲେ ଖାଲି ମାଳମାଳ ମୃତଦେହ | ଗଦା ହୋଇଛି କୁଢ଼ କୁଢ଼ ହାଡ । ଋଷର ସେନା କିଭ୍ରୁ ଚାଲିଯିବା ପରେ ସେଠାରେ ଦେଖିବାକୁ ମିଳିଥିଲା ହୃଦୟବିଦାରକ ଦୃଶ୍ୟ । ଏପର୍ଯ୍ୟନ୍ତ ୪୧୦ ସାଧାରଣ ନାଗରିକଙ୍କ ମୃତଦେହ ଉଦ୍ଧାର କରିସାରିଲାଣି ୟୁକ୍ରେନ ସେନା । ରାଜଧାନୀ କିଭରେ ଗଣହତ୍ୟାର ତାଣ୍ଡବ ଲୀଳା ରଚିଛି ଋଷ ସେନା ବୋଲି କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି |ଋଷ ସେନା କିଭ୍ରୁ ଚାଲିଯିବା ପରେ କିଭରେ ପ୍ରବେଶ କରିଛନ୍ତି ୟୁକ୍ରେନ୍ ସେନା | କିଭ୍ ରାସ୍ତାରେ ପଡିଥିବା ମାଳ ମାଳ ମୃତଦେହ ବର୍ଣ୍ଣନା କରୁଥିଲା ଯେ ଋଷ ସେନା କିଭଳି ନରସଂହାର କରିଛନ୍ତି। କିପରି ସାଧାରଣ ନାଗରିକଙ୍କୁ ନୃଶଂସ ଭାବରେ କରିଛନ୍ତି ହତ୍ୟା ।
ସେପଟେ ମାରିଓପୋଲରୁ ବର୍ତ୍ତମାନ ସୁଦ୍ଧା ପ୍ରାୟ ୫ ହଜାର ମୃତଦେହ ଉଦ୍ଧାର ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ଲଗାତାର ବଢ଼ିଚାଲିଛି। ଏଭଳି ସ୍ଥିତିରେ ବି ସହରରେ ଲକ୍ଷାଧିକ ଲୋକ ବଞ୍ଚିବା ପାଇଁ ସଂଘର୍ଷ ଜାରି ରଖିଛନ୍ତି। ଖାଦ୍ୟ, ପାଣି, ବିଦ୍ୟୁତ, ଗ୍ୟାସ୍ କିଛି ବି ଜରୁରୀ ସାମଗ୍ରୀ ଉପଲବ୍ଧ ନାହିଁ। ତେବେ ମାରିଓପୋଲ୍ରେ ସହାୟତା ପହଞ୍ଚାଇବାକୁ ରେଡ୍ କ୍ରସର ପ୍ରୟାସ ଜାରି ରହିଛି ବୋଲି କୁହାଯାଉଛି । ଯୁଦ୍ଧର ଏପରି ପରିସ୍ଥତି ଭିତରେ ବି ମନୋବଳ ହରାଇନାହିଁ ୟୁକ୍ରେନ । ହୁଙ୍କାର ଦେଇଛନ୍ତି ରାଷ୍ଟ୍ରପତି ଜେଲେନସ୍କି । ଋଷ ବିରୋଧରେ ବିଜୟ ଛଡା ୟୁକ୍ରେନ ଅନ୍ୟ କିଛି ଚାହେଁନି । ଯେ କୌଣସି ପରିସ୍ଥିତିରେ ଦେଶ ହାର ମାନିବ ନାହିଁ । ଶେଷ ପର୍ଯ୍ୟନ୍ତ ଏ ଲଢେଇ ଜାରି ରହିବ ବୋଲି କହିଛନ୍ତି ଜେଲେନସ୍କି। ୟୁକ୍ରେନ ଉପରେ ଋଷର ଆକ୍ରମଣ ୩୯ ଦିନରେ ପହଞ୍ଚିଲାଣି । ଥମୁନି ରୁଷ-ୟୁକ୍ରେନ ଯୁଦ୍ଧ। ଦିନକୁ ଦିନ ଉଗ୍ର ରୂପ ନେଉଛି ଯୁଦ୍ଧ । ଏହାରି ଭିତରେ ୪୦ ଲକ୍ଷରୁ ଅଧିକ ଲୋକ ଦେଶ ଛାଡ଼ି ଚାଲି ଗଲେଣି। ଜୀବନ ବଞ୍ଚାଇବାକୁ ସୀମା ପାର ହିଁ ଏକମାତ୍ର ବିକଳ୍ପର ବାଟ ବାଛି ନେଇଛନ୍ତି ୟୁକ୍ରେନବାସୀ ।