ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଛରାଇ ଅଞ୍ଚଳରେ ବିଜୁ ସେତୁ ନିର୍ମାଣ କାମ ତୁରନ୍ତ ଆରମ୍ଭ କରିବା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି | ୧୦ ଟି ପଞ୍ଚାୟତର ଗ୍ରାମବାସୀ ବାରଟୁଙ୍ଗାଠାରେ ଗଣ ଧାରଣା ଦେଇଛନ୍ତି | ବାରଟୁଙ୍ଗା-ମାର୍ଶାଘାଇ ବିଜୁ ସେତୁ ପାଇଁ ପ୍ରଶାସନିକ ସ୍ତରରେ ଅନେକ ଦିନ ହେବ ଏହାର ସର୍ଭେ ସରିଥିଲେ ବି କାମ ଆରମ୍ଭ ହୋଇନାହିଁ | ଫଳରେ ସ୍ଥାନୀୟ ଜନସାଧାରଣ ଯାତାୟାତ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି |
ପୂର୍ବତନ ଖଦି ବୋର୍ଡ ଅଧକ୍ଷ ତେଜେଶ୍ୱର ପରିଡାଙ୍କ ନେତୃତ୍ୱରେ ବଚରେଇ, ବନ୍ଧକଟା, ବାହାକଣ୍ଡିଆ, ବାରଟୁଙ୍ଗା, କଳପଡା, ଆଖୁଆ, ମେହେନ୍ଦି ନଗର ଆଦି ଅଞ୍ଚଳ ର ଅନେକ ଅଞ୍ଚଳବାସି ଏହି ଗଣ ବିକ୍ଷୋଭରେ ସାମିଲ ହୋଇଛନ୍ତି | କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସମେତ ଗ୍ରାମ୍ୟ ଉର୍ଣ୍ଣୟନ ବିଭାଗ ଅତିରିକ୍ତ ଶାସନ ସଚିବଙ୍କ ସହ ମଧ୍ୟ ଏହି ସେତୁ ନିର୍ମାଣ ପାଇଁ ତେଜେଶ୍ୱର ପରିଡା ଆଲୋଚନା କରିଥିଲେ | ଏହି ସେତୁ ଲୁଣା ନଦୀ ଉପରେ ନିର୍ମାଣ କରାଯାଉ ବୋଲି ଦାବି କରିଛନ୍ତି ଗ୍ରାମବାସୀ | ଏଠାରେ ସେତୁ ନିର୍ମାଣ ହେଲେ ମାର୍ଶାଘାଇର ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସାତ ପଞ୍ଚାୟତ ସମେତ ଆଖୁଆ, ପରିକୁଳl, ପିଙ୍କିରାଳୀ, ତlଳସଙ୍ଘା ଅଞ୍ଚଳର ବାସିନ୍ଦା ସିଧାସଳଖ କମ ଦୂରତା ବ୍ୟବଧାନରେ ମାର୍ଶାଘାଇ ତହସିଲ, ବ୍ଲକ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଓ ମହାବିଦ୍ୟାଳୟକୁ ଯାତାୟାତ କରିପାରିବେ| ସେତୁ ନଥିବା ହେତୁ ନଦୀ ପାରି ହେବାକୁ ବହୁ ଦୂରରେ ଥିବା କଳପଡା ସେତୁ ଉପରେ ନିର୍ଭର କରୁଛନ୍ତି ଅଞ୍ଚଳବାସୀ | ଫଳରେ ନଦୀ ଆର ପାରିରେ ମାତ୍ର ୪ କିଲୋମିଟର ବ୍ୟବଧାନରେ ଥିବା ମାର୍ଶାଘାଇ ମୁଖ୍ୟ ବଜାରକୁ କଳପଡା ସେତୁ ଦେଇ ଯିବାକୁ ୨୦ରୁ ୨୫ କିଲୋମିଟର ବାଟ ଅତିକ୍ରମ କରିବାକୁ ପଡୁଛି | ଫଳରେ ଛାତ୍ରଛାତ୍ରୀ ପାଠ ପଢିବାକୁ ଯିବା ପାଇଁ ଅସୁବିଧା ଭୋଗୁଛନ୍ତି |
ଏହି ସେତୁ ନିର୍ମାଣ ହେଲେ ଲୁଣା ଓ ଚିତ୍ରୋତ୍ପଳା ନଦୀ ମଧ୍ୟରେ ଥିବା ଅଧିବାସୀଙ୍କ ସମେତ ତିର୍ତୋଲ ଅଞ୍ଚଳରୁ ଆସୁଥିବା ଲୋକ ମଧ୍ୟ ସହଜରେ ମାର୍ଶାଘାଇ ଓ କେନ୍ଦ୍ରାପଡ଼ା ସହ ସଂଯୋଗ ହୋଇପାରିବେ ବୋଲି ତେଜେଶ୍ୱର ପରିଡା କହିଛନ୍ତି | ପାଟକୁରା, ମହାକାଳପଡ଼ା, ମାର୍ଶାଘାଇ ଗରଦପୁର ଅଞ୍ଚଳର ଜନସାଧାରଣଙ୍କ ଯୋଗାଯୋଗ ପାଇଁ ଏହି ସେତୁର ନିର୍ମାଣ ଅତି ଆବଶ୍ୟକ ବୋଲି ସ୍ଥାନୀୟ ଜନ ସାଧାରଣ ମତ ଦେଇଛନ୍ତି | ତେବେ ସେତୁ ନିର୍ମାଣ ପାଇଁ ସରକାରୀ ସର୍ଭେ ସରିଥିବା ବେଳେ ତୁରନ୍ତ କାମ ଆରମ୍ଭ କରାଯାଉ ବୋଲି ଲୋକମାନେ ଦାବି ରଖିଛନ୍ତି |