ଗରିବ ଲୋକଙ୍କ ପାଇଁ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି | ଗରିବ ସୀମାରେଖା ତଳେ ଥିବା ଲୋକମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ସୁବିଧା ଯୋଗାଇ ଦେଉଛନ୍ତି | ସରକାର ବିପିଏଲ କାର୍ଡଧାରୀଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟସେବା ଯୋଜନା କରିଛନ୍ତି | କିନ୍ତୁ ଆପଣ କେବେ ଶୁଣିଛନ୍ତି ବିପିଏଲ କାର୍ଡ ମାଧ୍ୟମରେ ପୋଷା କୁକୁର ବିଲେଇଙ୍କ ଚିକିତ୍ସା କରାଯିବା କଥା | କିନ୍ତୁ ମଧ୍ୟପ୍ରଦେଶର ସରକାର ଏବେ ବିପିଲ କାର୍ଡ ଧାରୀଙ୍କ ପୋଷା ଜନ୍ତୁଙ୍କ ପାଇଁ ବି ରିହାତି ଦରରେ ସ୍ୱାସ୍ଥ୍ୟସେବା ଯୋଗାଇ ଦେଉଛନ୍ତି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ପୋଷା ଜନ୍ତୁଙ୍କ ମାଲିକମାନେ କେହି ଗରିବ ଶ୍ରେଣୀର ନୁହନ୍ତି | କିନ୍ତୁ ତାଙ୍କ ପୋଷା ଜନ୍ତୁଙ୍କ ପାଇଁ ମିଳିଛି ବିପିଏଲ କାର୍ଡ |
ଭୋପାଳର ପ୍ରାଣୀ ଚିକିତ୍ସାଳୟରେ ରିହାତି ଦରରେ ବହୁ ମୂଲ୍ୟବାନ ତଥା ବିଦେଶୀ ପ୍ରଜାତିର କୁକୁର ଏବଂ ବିଲେଇଙ୍କ ଚିକିତ୍ସା କରାଯାଉଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସେମାନଙ୍କ ମାଲିକମାନେ ବିପିଏଲ୍ କାର୍ଡର ଲାଭ ଉଠାଇ ରିହାତି ମୂଲ୍ୟରେ ଚିକିତ୍ସା କରୁଛନ୍ତି | ଏଠାରେ ଥିବା ଡାକ୍ତରମାନେ କହିଛନ୍ତି ଯେ, ଏହି ପୋଷା କୁକୁର ବିଲେଇଙ୍କ ମାଲିକଙ୍କୁ ସରକାରୀ ଅଧିକାରୀମାନେ ବିପିଏଲ୍ କାର୍ଡ ଜାରି କରିଛନ୍ତି, ତେଣୁ ଚିକିତ୍ସାରେ ରିହାତି ଦେବାକୁ ସେମାନେ ଅସ୍ୱୀକାର କରିପାରିବେ ନାହିଁ। ଚଳିତ ବର୍ଷ ଫେବୃଆରୀ ୨୬ ରୁ ମାର୍ଚ୍ଚ ୩୧ ମଧ୍ୟରେ ସରକାରୀ ପ୍ରାଣୀ ଚିକିତ୍ସାଳୟରେ ବିପିଏଲ୍ ଯୋଜନା ଅନୁଯାୟୀ ମୋଟ ୮୪ ପ୍ରାଣୀ ଚିକିତ୍ସିତ ହୋଇଛନ୍ତି । ଯେଉଁଥିରେ କୁକୁର, ବିଲେଇ, ଛେଳି, ଠେକୁଆ, ଛେଳି ଏବଂ ମେଣ୍ଢା ଇତ୍ୟାଦିଙ୍କ ଚିକିତ୍ସା କରାଯାଇଛି |