ବଲାଙ୍ଗୀର ଜିଲ୍ଲା ତୁସୁରାରେ ହୋଇଥିବା ଡବଲ ମର୍ଡର ଘଟଣା ଉପରୁ ଉଠିଛି ପରଦା | ଶାଶୂ ବୋହୁଙ୍କୁ କିଭଳି ହତ୍ୟା କଲା ପୋଲିସ ଆଗରେ ବଖାଣିଲା ଅଭିଯୁକ୍ତ | ପାରିବାରିକ ବିବାଦକୁ ନେଇ ହତ୍ୟା କରାଯାଇଥିବା କହିଛି ପୋଲିସ |ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଜଗନ୍ନାଥ ମେହେରଙ୍କୁ ପୋଲିସ ଆଜି ଗିରଫ କରିଛି| ଅଭିଯୁକ୍ତଙ୍କ ନିକଟରୁ ହତ୍ୟାରେ ବ୍ୟବହୃତ ସାମଗ୍ରୀକୁ ଜବତ କରିଛି ପୋଲିସ |
ତୁସୁରା ଥାନା ଅନ୍ତର୍ଗତ ନୂଆପଡା ଗାଁରେ ଗତକାଲି ସ୍ପଷ୍ଟ ଦିବାଲୋକରେ ଘର ଭିତରେ ପଶି ଶାଶୁ ଓ ବୋହୁଙ୍କ ଗଳା କାଟି ହତ୍ୟା କରାଯାଇଥିଲା। ତୁସୁରା ପୋଲିସ ଓ ସାଇଣ୍ଟିଫିକ୍ ଟିମ ସେଠାରେ ତଦନ୍ତ ଆରମ୍ଭ କରିଥିଲା। ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଜଗନ୍ନାଥ ମେହେରଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରିବାରୁ ସେ ହତ୍ୟା କରିଥିବା ସ୍ୱୀକାର କହିଛି। ପୋଲିସ ତା ନିକଟରୁ ହତ୍ୟାରେ ବ୍ୟବହୃତ ସାମଗ୍ରୀ ଧାରୁଆ ଛୁରୀ, କିଛି ସୁନା ଗହଣା ଓ ରକ୍ତଲଗା ଲୁଗା ଜବତ କରିଛି। ତାଙ୍କ ଜେଜେ ମା ପ୍ରେମସିଳା ଓ ଖୁଡି ଅମ୍ବିକାଙ୍କ ସହ ତାଙ୍କ ସମ୍ପର୍କ ଭଲ ନଥିବାରୁ ସେ ଦୁଇଜଣଙ୍କୁ ହତ୍ୟା କରିଥିବା ଜଗନ୍ନାଥ ପୋଲିସ ଆଗରେ ସ୍ୱୀକାର କରିଛି | ତେବେ ସେ ଦୁଇ ଜଣଙ୍କୁ ହତ୍ୟା କରିବା ପରେ ସେମାନେ ପିନ୍ଦି ଥିବା ସୁନା ଅଳଙ୍କାର ଆଣି ନିଜର ତୁସୁରା ଦୋକାନରେ ରଖିଥିଲା । ପୋଲିସ ଜଗନ୍ନାଥଙ୍କ ଦୋକାନରୁ ହତ୍ୟାରେ ବ୍ୟବହୃତ ଛୁରୀ ଓ ବିଭିନ୍ନ ସାମଗ୍ରୀ ଜବତ କରିଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଏସ୍ଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି।