ଶ୍ରୀଲଙ୍କାରେ ହାହାକାର | ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଶ୍ରୀଲଙ୍କା | ଖାଦ୍ୟ ସଙ୍କଟ ପରେ ଏବେ ଦେଖାଦେଇଛି ବିଜୁଳି ଓ ଡିଜେଲ ଅଭାବ | ଦେଶର ପରିସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି | ପରିସ୍ଥିତି ଏଭଳି ହୋଇଛି ଯେ ଲୋକେ ରାଜରାସ୍ତାକୁ ଓହ୍ଲାଇ ହିଂସା ସୃଷ୍ଟି କରିବାରେ ଲାଗିଛନ୍ତି । ଏହାକୁ ନିୟନ୍ତ୍ରଣ କରିବାକୁ ଶ୍ରୀଲଙ୍କା ସରକାର ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି । ଦେଶରେ ଶାନ୍ତି ବଜାୟ ରଖିବା ପାଇଁ ରାଷ୍ଟ୍ରପତି ଗୋଟବାୟା ରାଜପାକ୍ସ ରାଷ୍ଟ୍ରୀୟ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଛନ୍ତି।
ଏପ୍ରିଲ ୧ରୁ ଶ୍ରୀଲଙ୍କାରେ ଏହି ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଛି। ଶ୍ରୀଲଙ୍କାର ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଦିଆଯାଇଥିବା ଆଦେଶରେ କୁହାଯାଇଛି ଯେ ଦେଶରେ ଆଇନ ଶୃଙ୍ଖଳା ବଜାୟ ରଖିବା, ଜରୁରୀ ଜିନିଷ ଯୋଗାଣ ଜାରି ରଖିବାକୁ ଏହି ନିଷ୍ପତ୍ତି ନିଆଯାଇଛି।
ଶ୍ରୀଲଙ୍କାର ହଜାର ହଜାର ଲୋକେ ରାଜରାସ୍ତାକୁ ଓହ୍ଲାଇ ସରକାରଙ୍କ ବିରୋଧରେ ଗଣବିକ୍ଷୋଭ କରିବା ସହ ବିଭିନ୍ନ ସ୍ଥାନରେ ପୋଡ଼ା ଜଳା କରି ଆନ୍ଦୋଳନ କରିଛନ୍ତି। ପରିସ୍ଥିତିର ମୁକାବିଲା ପାଇଁ ଶୁକ୍ରବାର ବିଭିନ୍ନ ସ୍ଥାନରେ ଶ୍ରୀଲଙ୍କା ପୋଲିସ କର୍ଫ୍ୟୁ ଲାଗୁ କରିଛି। ପଡୋଶୀ ଦେଶ ଶ୍ରୀଲଙ୍କା ଏବେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଏହି ସମୟରେ ଭାରତ ସରକାର ଶ୍ରୀଲଙ୍କାକୁ ସହାୟତାର ହାତ ବଢ଼ାଇଛନ୍ତି | ପ୍ରାୟ ୪୦,୦୦୦ ଟନ୍ ଡିଜେଲ ଶ୍ରୀଲଙ୍କାକୁ ପଠାଇଛନ୍ତି | କ୍ରେଡିଟ ଲାଇନ ଅଧୀନରେ ଏହି ଡିଜେଲକୁ ଭାରତ ଦେଇଛି।