ଶ୍ରୀହୀନ ପାଲଟିଛି ସୁନାର ଲଙ୍କା | ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଶ୍ରୀଲଙ୍କା | ଦେବାଳିଆ ହୋଇଗଲାଣି ଦେଶ | ଶ୍ରୀଲଙ୍କା ମୁଦ୍ରାର ମୂଲ୍ୟ ଡଲାର ତୁଳନାରେ ପ୍ରାୟ ଅଧା ହୋଇଯାଇଛି | ଫଳରେ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ହୋଇଛି ଆକାଶ ଛୁଆଁ | ପରିସ୍ଥିତି ଏତେ ଖରାପ ହୋଇଯାଇଛି ଯେ ଚିନିର ମୂଲ୍ୟ ୨୯୦ ଟଙ୍କା ଏବଂ ଚାଉଳ କିଲୋ ୫୦୦ ଟଙ୍କାରେ ପହଞ୍ଚିଛି | ଡିଜେଲ-ପେଟ୍ରୋଲ ଏବଂ ଗ୍ୟାସ କିଣିବା ପାଇଁ ଲୋକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳୁଛି | ଶ୍ରୀଲଙ୍କାରେ ଗୋଟେ ପ୍ୟାକେଟ୍ ବ୍ରେଡର ମୂଲ୍ୟ ୧୫୦ ଟଙ୍କା ହୋଇଥିବା ବେଳେ କ୍ଷୀର ପାଉଡର କିଲୋ ୧,୯୭୫ ଟଙ୍କା । ସେହିଭଳି ଏଲପିଜି ସିଲିଣ୍ଡରର ମୂଲ୍ୟ ୪,୧୧୯ ଟଙ୍କା ଜ୍ଝ ପେଟ୍ରୋଲ ଲିଟରକୁ ୨୫୪ ଟଙ୍କା ଏବଂ ଡିଜେଲ ଲିଟର ପ୍ରତି ୧୭୬ ଟଙ୍କାରେ ବିକ୍ରି ହେଉଛି।
ଦାରୁଣ ଅର୍ଥନୈତିକ ସଙ୍କଟ ଯୋଗୁ ରାଜଧାନୀ କଲମ୍ବୋରେ ରାଷ୍ଟ୍ରପତିଙ୍କ ଇସ୍ତଫା ଦାବି କରିଛନ୍ତି ନାଗରିକ | ରାଷ୍ଟ୍ରପତିଙ୍କ ଘର ସମ୍ମୁଖରେ ଲୋକେ ବିକ୍ଷୋଭ କରିଥିଲେ । ଏହା ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ପୋଲିସ, ଲୁହ ବୁହା ଗ୍ୟାସ୍ ଏବଂ ପାଣି ମାଡ କରିଥିଲା । ପରେ ସହରର କିଛି ସ୍ଥାନରେ କଫ୍ୟୁ ଲାଗୁ କରାଯାଇଛି । ଅନ୍ୟପକ୍ଷେ ସରକାରୀ ତଥ୍ୟ ଅନୁଯାୟୀ ଶ୍ରୀଲଙ୍କାରେ ମୁଦ୍ରାସ୍ଫୀତି ହାର ୧୭ ପ୍ରତିଶତ ପାର କରିଛି। ସମଗ୍ର ଦକ୍ଷିଣ ଏସିଆର ଯେ କୌଣସି ଦେଶରେ ଏହା ମୁଦ୍ରାସ୍ଫୀତିର ସବୁଠାରୁ ଖରାପ ସ୍ତର ବୋଲି କୁହାଯାଉଛି | ସ୍ୱାଧୀନତା ପରଠାରୁ ଶ୍ରୀଲଙ୍କାରେ ଏବେ ସବୁଠାରୁ ଗୁରୁତର ଆର୍ଥିକ ସଙ୍କଟ ଦେଖାଦେଇଛି | ଏହି ଛୋଟ ଦେଶର ଅବସ୍ଥା ଏପରି ଯେ ଲୋକମାନଙ୍କୁ ୧ କପ୍ ଚା ପାଇଁ ୧୦୦ ଟଙ୍କା ଦେବାକୁ ପଡୁଛି | କେବଳ ଏତିକି ନୁହେଁ, ବ୍ରେଡ ଏବଂ କ୍ଷୀର ଭଳି ଜରୁରୀ ଜିନିଷର ମୂଲ୍ୟ ମଧ୍ୟ ଆକାଶ ଛୁଆଁ |
ଗତ କିଛି ଦିନ ମଧ୍ୟରେ ଡଲାର ତୁଳନାରେ ଶ୍ରୀଲଙ୍କା ଟଙ୍କାର ମୂଲ୍ୟ ୪୬ ପ୍ରତିଶତରୁ ଅଧିକ ହ୍ରାସ ପାଇଛି। ୧ ଡଲାର ତୁଳନାରେ ଶ୍ରୀଲଙ୍କା ଟଙ୍କାର ମୂଲ୍ୟ ୨୦୧ ରୁ ୩୧୮ ଟଙ୍କାରେ ପହଂଚିଛି | ଶ୍ରୀଲଙ୍କା ମୁଦ୍ରା ଏବଂ ଅର୍ଥନୀତିର ଏହି ସଙ୍କଟର କାରଣ ହେଉଛି ବୃହତ ଋଣ ବୋଝ | ଏଥିସହିତ ଶ୍ରୀଲଙ୍କାର ବୈଦେଶିକ ମୁଦ୍ରା ଭଣ୍ଡାର ଶେଷ ହେବାରେ ଲାଗିଛି। ତଥ୍ୟ ଅନୁଯାୟୀ, ବର୍ତ୍ତମାନ ଶ୍ରୀଲଙ୍କାରେ ୫୧ ବିଲିୟନ ଡଲାରର ଋଣ ଭାର ରହିଛି। କେବଳ ଚୀନ୍ର ଶ୍ରୀଲଙ୍କା ଉପରେ ୫ ବିଲିୟନ ଡଲାରରୁ ଅଧିକ ଋଣ ରହିଛି।ଏହା ବ୍ୟତୀତ ଭାରତ ଏବଂ ଜାପାନ ପରି ଦେଶ ବ୍ୟତୀତ ଆଇଏମ୍ଏଫ୍ ଭଳି ଅନୁଷ୍ଠାନରୁ ମଧ୍ୟ ଶ୍ରୀଲଙ୍କା ଋଣ କରିଛି |