କ୍ୟାମେରାମ୍ୟାନ୍ ମାନସ ସ୍ବାଇଁ ହତ୍ୟାକାଣ୍ଡ ମାମଲା ଉପରୁ ହଟିବାରେ ଲାଗିଛି ପରଦା । ମାନସର ଅପହରଣ କିପରି ହୋଇଥିଲା କିପରି ତାର ହତ୍ୟା କରାଗଲା ସେ ନେଇ ଡେମୋ ଦେଖାଇଲେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା | ଚାନ୍ଦବାଲି ପଳାସପୁରରେ ପ୍ରଥମେ ହୋଇଥିଲା କ୍ରାଇମ ସିନ ରିକ୍ରିଏସନ । ଶର୍ମିଷ୍ଠାଙ୍କ ସମେତ ୪ ଜଣଙ୍କୁ ଧରି ଆଜି ପଳାସପୁରରେ ପହଞ୍ଚିଥିଲା କ୍ରାଇମବ୍ରାଞ୍ଚ ଟିମ । କ୍ରାଇମ ସ୍ପଟକୁ ଶର୍ମିଷ୍ଠାଙ୍କ ସହ ଯାଇଥିଲେ ନିରଞ୍ଜନ ସେଠୀ, ଝୁନା ଭୋଇ ଓ ରଞ୍ଜନ ନାୟକ । ଶର୍ମିଷ୍ଠା ଆସୁଥିବା ଖବର ପାଇ ପଳାସପୁ ରରେ ଅସମ୍ଭବ ଭିଡ଼ ଲାଗି ରହିଥିଲା। ଏଥିଯୋଗୁ କ୍ରାଇମ ସିନ୍ ରିକ୍ରିଏଟ କରିବାକୁ ଅଧିକାରୀଙ୍କୁ ନାକେଦମ ହେବାକୁ ପଡ଼ିଥିଲା । ଫଳରେ ସେଠାରେ ଅଳ୍ପ ସମୟ ରହି ଶର୍ମିଷ୍ଠାକୁ ପୁଣି କଟକ ମୁଖ୍ୟାଳୟକୁ ନେଇ ଆସିଛି କ୍ରାଇମବ୍ରାଞ୍ଚ ।
ଚାନ୍ଦବାଲି ପରେ ଭୁବନେଶ୍ୱର ଦୟାଲ ଆଶ୍ରମରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ୍ । ପରେ ନୟାଗଡ଼ରେ କ୍ରାଇମ ସିନ୍ ରିକ୍ରିଏଟ କରିବ କ୍ରାଇମବ୍ରାଞ୍ଚ । ଶର୍ମିଷ୍ଠାଙ୍କୁ ଭୁବନେଶ୍ୱର ଦୟାଲ ଆଶ୍ରମ ଭିତରେ କିଏ କିଏ ସବୁ ମାନସଙ୍କୁ ପିଟିଥିଲେ, କିପରି ହତ୍ୟା କରାଗଲା ତାହାର ମଧ୍ୟ ଡେମୋ ଦେଖାଇବେ ଶର୍ମିଷ୍ଠା। ଏହାପରେ ପୁଣି ତାଙ୍କୁ ମାନସଙ୍କ ମୃତଦେହ ଫିଙ୍ଗା ଯାଇଥିବା ନୟାଗଡ଼ ଜିଲ୍ଲା ରଣପୁରର ସେହି ସ୍ଥାନକୁ ନିଆଯିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି।