ନକ୍ସଲଙ୍କ ଗଡ ଭାବେ ପରିଚିତ ସ୍ବାଭିମାନ ଅଞ୍ଚଳରେ ଏବେ ନକ୍ସଲ ଛାନିଆ | ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଅତି ସମ୍ବେଦନଶୀଳ ସ୍ବାଭିମାନ ଅଞ୍ଚଳରେ ବିଏସଏଫ ମୁତୟନ ପରେ ଜାରି ରହିଛି ନକ୍ସଲ ଦମନର ରଣନୀତି | ଫଳରେ କମିଛି ମାଓ କାର୍ଯ୍ୟକଳାପ | ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବାରୁ ବିଚ୍ଛିନ୍ନାଞ୍ଚଳରୁ ଏବେ ପରିଚୟ ମିଳିଛି ସ୍ବାଭିମାନ ଅଞ୍ଚଳ ରୂପେ । ଗତକାଲି ଓଡ଼ିଶା -ଆନ୍ଧ୍ରପ୍ରଦେଶ ସୀମାକୁ ଲାଗି ଯନ୍ତ୍ରୀ ପଞ୍ଚାୟତ ଅନ୍ତର୍ଗତ ମାଛକୁଣ୍ଡ ନଦୀ ନିକଟରେ ଆଉ ଏକ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି | ଏହା ପରେ ଏବେ ନକ୍ସଲଙ୍କ ମନରେ ପଶିଛି ଛନକା | ନକ୍ସଲମାନେ ହୋଇପଡିଛନ୍ତି ଭୟଭୀତ |
ବିଏସଏଫ ଆସିବା ପୂର୍ବରୁ ସ୍ବାଭିମାନ ଅଞ୍ଚଳ ନକ୍ସଲଙ୍କ ଗଡ ଭାବେ ପରିଚିତ ଥିଲା। ୨୦୧୦ରେ ମାଲକାନଗିରି ଜିଲ୍ଲାରେ ବିଏସଏଫର ମୁତୟନ କରାଯାଇଥିଲା। ସ୍ବାଭିମାନ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ପାଇଁ ନକ୍ସଲ ଦମନର ରଣନୀତି ସଫଳତାର ଲଢେଇ ଯାରି ରଖିଛି। ସ୍ଥାନୀୟ ଲୋକଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଉନ୍ନୟନମୂଳକ କାର୍ଯ୍ୟର ଯେମିତି ସୁଅ ଛୁଟୁଛି। ବିଗତ ୮/୧୦ ବର୍ଷ ମଧ୍ୟରେ ମାଲକାନଗିରି ଜିଲ୍ଲାର ରୂପ ସମ୍ପୂର୍ଣ୍ଣ ବଦଳିଛି।
୨୦୧୮ ମସିହାରେ ଗୁରୁପ୍ରିୟା ସେତୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଉଦଘାଟନ କରିଥିଲେ | ପରେ ୨୦୧୯ ରୁ ୨୦୨୧ ମଧ୍ୟରେ ବିଏସଏଫ ଦ୍ଵାରା ସ୍ବାଭିମାନ ଅଞ୍ଚଳର ଅତ୍ୟନ୍ତ ସମ୍ବେଦନଶୀଳ ଅଞ୍ଚଳରେ ୫ଟି ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା କରି ନକ୍ସଲ ହିଂସାକାଣ୍ଡରେ ଅଙ୍କୁଶ ଲଗାଇବାରେ ସଫଳ ହୋଇଛି। ୨୦୨୨ ମସିହା ୩୧ ତାରିଖରେ ବିଏସଏଫ ଆଉ ପାଦେ ଆଗକୁ ବଢ଼ିବାରେ ସଫଳ ହୋଇଛି। ଓଡ଼ିଶା ଆନ୍ଧ୍ରପ୍ରଦେଶ ସୀମାକୁ ଲାଗି ମାଛକୁଣ୍ଡ ନଦୀ ନିକଟରେ ଆଉ ଏକ କ୍ୟାମ୍ପର ସ୍ଥାପନା କରାଯାଇଛି। ବିଏସଏଫ ୯ ବାଟାଲିୟନର ଅଧିନରେ ଏହି କ୍ୟାମ୍ପ ପରିଚାଳିତ ହେବ। ଏହି ଅବସରରେ ମାଲକାନଗିରି ଜିଲ୍ଲା ଏସପି ନିତେଶ ବାଧଓ୍ବାନୀ , ମାଲକାନଗିରି ବିଏସଏଫ ଡିଆଇଜି ଶୈଳୈନ୍ଦ୍ର କୁମାର ସିହ୍ନା , ୯ ବାଟାଲିୟନ କମାଣ୍ଡାଣ୍ଡ ଆର ଏସ ମିଞ୍ଜ , ଏସଡିପିଓ ଚିତ୍ରକୋଣ୍ଡା ଅଂଶୁମାନ ଦ୍ବିବେଦୀଙ୍କ ସମେତ ସ୍ଥାନୀୟ ସରପଞ୍ଚ ଓ ଗ୍ରାମବାସୀ ଉପସ୍ଥିତ ଥିଲେ |