ହରିଶଙ୍କର ପର୍ଯ୍ୟଟନ ସ୍ଥଳୀର ଆଶାନୁରୂପ ବିକାଶ ହୋଇପାରି ନାହିଁ | ଏହାର ପ୍ରତିବାଦରେ ଆଜି ବଣିକ ସଂଘ ପକ୍ଷରୁ ରାସ୍ତାରୋକ କରାଯାଇଛି | ଫଳରେ ଗାଡି ଚଳାଚଳ ସମ୍ପୁର୍ଣ୍ଣ ଠପ ହୋଇ ଯାଇଥିଲା | ତେବେ ଦୂର ଦୂରାନ୍ତରୁ ଆସିଥିବା ଶତାଧିକ ପର୍ଯ୍ୟଟକ ଅସହ୍ୟ ଖରାରେ ଘଣ୍ଟା ଘଣ୍ଟା ଧରି ରାସ୍ତା ଉପରେ ଅଟକି ରହିଥିଲେ । ମୁଣ୍ଡ ଫଟା ଖରା ସାଙ୍ଗକୁ ଗୁଳୁଗୁଳି ଯୋଗୁ ପୁରା ଅସ୍ତବ୍ୟସ୍ତ ହୋଇପଡିଥିଲେ | ରାସ୍ତାରୋକୋ ଯୋଗୁ ନା ଆଗକୁ ଯାଇପାରୁଥିଲେ, ପଛରେ ଗାଡି ଲମ୍ବା ଲାଇନ ଯୋଗୁ ନା ପଛକୁ ଫେରି ପାରୁଥିଲେ | ଖବରପାଇ ଆନ୍ଦୋଳନ ସ୍ଥଳରେ ପହଂଚିଥିଲେ ପାଟଣାଗଡ଼ ଉପଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଜୟା ନନ୍ଦ ସେଠୀ | ଆନ୍ଦୋଳନକାରୀଙ୍କୁ ବହୁ ବୁଝାସୁଝା କରିବା ପରେ ହୋଇଥିଲା ଆନ୍ଦୋଳନ ପ୍ରତ୍ୟାହୁତ | ଗାଡି ଚଳାଚଳ ହେବାରୁ ଶାନ୍ତିରେ ନିଶ୍ୱାସ ନେଇଥିଲେ ପର୍ଯ୍ୟଟକ |
ବଲାଙ୍ଗିର ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ହେଲା ଖପ୍ରାଖୋଲ ବ୍ଲକର ହରିଶଙ୍କର। ଏଠାକୁ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ତଥା ପର୍ଯ୍ୟଟକଙ୍କ ଭିଡ ଜମେ | ଏହି ସ୍ଥାନର ଆଶାନୁରୂପକ ବିକାଶ ଆଜିଯାଏଁ ହୋଇନାହି। ଅନେକ ସମୟରେ ପର୍ଯ୍ୟଟନ ବିଭାଗ ତରଫରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଥିଲେ ବି ସ୍ଥାନୀୟ ଲୋକଙ୍କ ପରାମର୍ଶ ନ ନେଇ କାମ ହେଉଛି | ଫଳରେ ତାର ମାନ , ସ୍ଥାୟୀତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ସ୍ଥାନୀୟ ବଣିକ ସଂଘ ଅଭିଯୋଗ କରିଛି।
ଏହାର ପ୍ରତିବାଦରେ ତିନିଦଫା ଦାବି ନେଇ ବଣିକ ସଙ୍ଘ ତରଫରୁ ବୁଧବାର ହରିଶଙ୍କର ଚିଡିଆଖାନାଠାରେ ରାସ୍ତାରୋକ କରାଯାଇଥିଲା । ପର୍ଯ୍ୟଟନ ବିଭାଗ ତରଫରୁ ନିର୍ମାଣଧିନ ବଜାର ଗୃହର ଆୟତନ ଛୋଟ ରହୁଥିବା ବେଳେ ଏହାକୁ ବଢ଼ାଇ ୧୦ ଫୁଟ / ୧୨ ଫୁଟ କରାଯାଉ, ଭୂମିହୀନ ଦୋକାନୀକୁ ଥଇଥାନ କରିବାକୁ ଦାବି କରିଥିଲେ । ଆନ୍ଦୋଳନ ସ୍ଥଳକୁ ପାଟଣାଗଡ଼ ଉପଜିଲ୍ଲାପାଳ ତଥା ଦେବୋତ୍ତର କାର୍ଯ୍ୟ ନିର୍ବାହୀ ଅଧିକାରୀ ବିଜୟା ନନ୍ଦ ସେଠୀ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝା ସୁଝା କରିଥିଲେ । ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଆନ୍ଦୋଳନକାରୀମାନେ ଅଡ଼ି ବସିଥିଲେ । ଉପଜିଲ୍ଲାପାଳ ଆଲୋଚନା ପାଇଁ ନିର୍ଭର ପ୍ରତିଶୃତି ଦେବା ପରେ ମଧ୍ୟାହ୍ନରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।
ଏହି ଅବସରରେ ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର, ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ, ବ୍ଲକ ଅଧ୍ୟକ୍ଷା ନିରୁପମା ପଟେଲ,ଜିଲା ପରିଷଦ ସଭ୍ୟା ସଂଯୁକ୍ତା ମେହେର ସମେତ ବଣିକ ସଙ୍ଘର ଶତାଧିକ ମହିଳା ପୁରୁଷ ଉପସ୍ଥିତ ଥିଲେ ।