ଗିରଫ ହୋଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ପୁଣି ଅସୁସ୍ଥ | ବାଣପୁର ସବ୍-ଜେଲ ଥିବା ବେଳେ ଗତକାଲି ରାତିରେ ସେ ଅସୁସ୍ଥ ହୋଇପଡିଛନ୍ତି | ଅଧିକ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଏସପି |
ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗତକାଲି ବିଳମ୍ବିତ ରାତିରେ ହଟାତ ଅସୁସ୍ଥତା ଅନୁଭବ କରିଥିଲେ । ଉଚ୍ଚ ରକ୍ତଚାପ ଓ ଛାତି ଯନ୍ତ୍ରଣା ଯୋଗୁ ସେ ହୋଇପଡିଥିଲେ ଅସୁସ୍ଥ | ଖବରପାଇ ବାଣପୁର ମେଡିକାଲ ଅଫିସର ଜେଲକୁ ଯାଇ ତାଙ୍କ ଚିକିତ୍ସା କରିଥିଲେ । କିନ୍ତୁ ତାଙ୍କ ସ୍ବାସ୍ଥ୍ୟବସ୍ଥା ଜଟିଳ ହେବାରୁ ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ବିଧାୟକ ଜେଲ ଏବଂ ପୋଲିସ କର୍ମଚାରୀଙ୍କ କଡ଼ା ସୁରକ୍ଷା ମଧ୍ୟରେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି | ତେବେ ବିଧାୟକ ଜଗଦ୍ଦେବ ସୁସ୍ଥ ହେବା ପରେ ପୁଣି ବାଣପୁର ସବଜେଲକୁ ଆସିବେ ବୋଲି କହିଛନ୍ତି ଖୋର୍ଦ୍ଧା ଏସପି । ଅନ୍ୟପକ୍ଷେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ବାଣପୁର ପୋଲିସ ୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଯୋଗ୍ୟ ଯେ, ବିଜେପି କର୍ମୀ ଓ ପୋଲିସ କର୍ମଚାରୀଙ୍କ ଉପରକୁ ଗାଡି ଚଢାଇ ହତ୍ୟା ଉଦ୍ୟମ ମାମଲାରେ ଗିରଫ ହୋଇ ଜେଲରେ ଅଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ।