ଋଷ ୟୁକ୍ରେନ ଯୁଦ୍ଧକୁ ଏକ ମାସରୁ ଅଧିକ ସମୟ ବିତିଯାଇଥିଲେ ସୁଦ୍ଧା ଯୁଦ୍ଧ ଥମିବାର ନା ନେଉନାହିଁ । ପୂର୍ବରୁ ୪ଟି ପର୍ଯ୍ୟାୟ ଆଲୋଚନା ବିଫଳ ହୋଇଥିବାବେଳେ ଜାରି ରହିଛି ଯୁଦ୍ଧ ।ତେବେ ଏହାରି ଭିତରେ ଆଜିର ଆଲୋଚନା ଉପରେ ନଜର ରହିଛି ।
ଋଷ- ୟୁକ୍ରେନ ମଧ୍ୟରେ ଆଜି ୨୮ ତାରିଖରୁ ଆରମ୍ଭ ହୋଇ ୩୦ ତାରିଖ ଯାଏଁ ଆଲୋଚନା ହେବ । ତୁର୍କୀରେ ଏହି ଆଲେଚନା ହେବା ନେଇ ଗତକାଲି ୟୁକ୍ରେନ ମଧ୍ୟସ୍ଥି ଡେଭିଡ ଅରଖାମିଆ କହିଛନ୍ତି । ଏହି ଶାନ୍ତି ବୈଠକ ଭର୍ଚ୍ଚୁଆଲରେ ଆରମ୍ଭ ହୋଇଥିବା ସୂଚନା ମିଳିଛି । ଉଭୟ ଦେଶ ମଧ୍ୟରେ ଅନେକଥର ଆଲୋଚନା କରିବା ସତ୍ତ୍ବେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରିନଥିଲା । ତେବେ ଆଜି ଆଲୋଚନାରେ କିଛି ସକରାତ୍ମକ ଫଳାଫଳ ଆସିବା ନେଇ ଆଶା କରାଯାଉଛି । ଫେବୃଆରୀ ୨୪ତାରିଖରେ ଋଷ ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା କରିବା ପରେ ଉଭୟ ରାଷ୍ଟ୍ରର ପ୍ରତିନିଧି ଟିମ ୪ ଥର ଆଲୋଚନା ଟେବୁଲରେ ଏକାଠି ହୋଇଛନ୍ତି । ୟୁକ୍ରେନ ଯୁଦ୍ଧରେ ବର୍ତ୍ତମାନ ସୁଦ୍ଧା ଋଷର ୧୬୦୦ ସୈନିକ ନିହତ ହୋଇଛନ୍ତି ଏବଂ ୫୮୨ଟି ଟ୍ୟାଙ୍କ ଧ୍ବସଂ କରାଯାଇଛି ବୋଲି ୟୁକ୍ରେନ ଦାବି କରିଛି । କିନ୍ତୁ ଋଷର ୧୩୫୧ ଜଣ ସୈନିକ ନିହତ ହୋଇଥିବା ବେଳେ ୩୮୨୫ ଜଣ ଆହତ ହୋଇଥିବା ବିଷୟ ଗତ ଶୁକ୍ରବାର ମସ୍କୋ କହିଥିଲା। ନାଟୋ ପକ୍ଷରୁ ଋଷ ସୈନିକଙ୍କ ନିହତ ସଂଖ୍ୟା ୭ ହଜାରରୁ ୧୫ ହଜାର ମଧ୍ୟରେ ଦର୍ଶାଯାଇଛି।