ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଚାଲିଛି ଭିଜିଲାନ୍ସ ଚଢ଼ାଉ | ଦିତୀୟ ଦିନରେ ବି ସରୁନି ଭିଜିଲାନ୍ସ ଖୋଳତାଡ଼ | ମାଲକାନଗିରି ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଜନ- ୧ ର ଅଧୀକ୍ଷଣ ଯନ୍ତ୍ରୀ ଆଶିଷ ଦାସଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ତାଯୁବ | ଘରୁ ବାହାରୁଛି ପୁଳା ପୁଳା ଟଙ୍କା ଓ ସୁନା ଗହଣା | ଯନ୍ତ୍ରୀଙ୍କ ଠିକାଦାର ଓ କର୍ମଚାରୀଙ୍କ ଘରୁ ମଧ୍ୟ ଜବତ ହେଉଛି ଲକ୍ଷ ଲକ୍ଷ ଟଙ୍କା | ପ୍ରାୟ ୫ କୋଟି ରୁ ଉର୍ଧ ଟଙ୍କାର ଅସ୍ଥାବର ସମ୍ପତି ହୋଇଛି ଠାବ। ବିଭିନ୍ନ ବ୍ଯାଙ୍କ ଆକାଉଣ୍ଟରେ ଥିବା ଅଢେଇ କୋଟି ଟଙ୍କା ହୋଇଛି ଜବତ ।
ଭିଜିଲାନ୍ସ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଯନ୍ତ୍ରୀଙ୍କ ଠିକାଦାରଙ୍କ ଘରୁ ୨୧ ଲକ୍ଷ ୭୫ ହଜାର ଟଙ୍କା ଜବତ ହୋଇଛି । ଏଥିସହିତ ଠିକାଦର ଓ ଯନ୍ତ୍ରୀଙ୍କ ଘରୁ ୬୦୦ ଗ୍ରାମ ସୁନା ଜବତ ହୋଇଛି । ଏହାବ୍ୟତୀତ ୫୦ ଲକ୍ଷ ଟଙ୍କାର ବିମା, ୪୦ ଲକ୍ଷ ଟଙ୍କା ର ୟୁଟିଆଇ ବଣ୍ଡ, ୫୦ ଲକ୍ଷ ଟଙ୍କାର କିଶାନ ବିକାଶ ପତ୍ର, ଏନଏସସି ଓ ପୋଷ୍ଟାଲ ଡିପୋଜିଟ ଆଦି ଜବତ କରାଯାଇଛି | କଟକରେ ତାଙ୍କର ଗୋଟିଏ ଫ୍ଲାଟ ମଧ୍ୟ ରହିଛି | ତେବେ ଯନ୍ତ୍ରୀ ଆଶିଷ ଦାସଙ୍କ ମାଲକାନଗିରି ଓ କେଉଁଝର ପରି ବିଭିନ୍ନ ସ୍ଥାନରେ ବ୍ଯାଙ୍କ ଲକର ରହିଥିବା ସୂଚନା ମିଳିଛି | ସୂଚନାଯୋଗ୍ୟ ଯେ , ନିର୍ବାହୀ ଯନ୍ତ୍ରୀ ଆଶିଷ ଗତକାଲି ଡିସିବି ବ୍ୟାଙ୍କରେ ଟଙ୍କା ଜମା କରିବା ସମୟରେ ମାଡି ବସିଥିଲା ଭିଜିଲାନ୍ସ | ନିର୍ବାହୀ ଯନ୍ତ୍ରୀ ଶ୍ରୀ ଦାସ ପ୍ରାୟ ୧୦ ଲକ୍ଷ ଟଙ୍କା ଜମା କରୁଥିବା ବେଳେ ଭିଜିଲାନ୍ସ ବିଭାଗ ତରଫରୁ ଚଢ଼ାଉ କରାଯାଇ ଥିଲା |