ରାତି ପାହିଲେ ପୌର ଭୋଟ୍ ଗଣତି। ତା’ ପୂର୍ବରୁ ଆଜି ସନ୍ଧ୍ୟା ବେଳେ ଷ୍ଟ୍ରଙ୍ଗରୁମରେ ଥିବା ଇଭିଏମ୍ ଟ୍ୟାମ୍ପରିଂ ଅଭିଯୋଗ ଆଣି ତାତିଲେ ଲୋକେ। ବିଜେବି କଲେଜ ଷ୍ଟ୍ରଙ୍ଗରୁମ୍ ସମ୍ମୁଖରେ ଗଣ୍ଡଗୋଳ ଓ ଉତ୍ତେଜନାମୂଳକ ପରିସ୍ଥିତି ଦେଖିବାକୁ ମିଳିଛି । ବିଜେପି କର୍ପୋରେଟର ପ୍ରାର୍ଥୀ ଓ ସମର୍ଥକଙ୍କ ସହ ପୋଲିସ ମୁହାଁମୁହିଁ ହୋଇଥିବା ସୂଚନା ରହିଛି ।
ତେବେ ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ଲାଠିଚାର୍ଜ କରିବା ସହ ବିକ୍ଷୋଭକାରୀଙ୍କ ଆକ୍ରମଣରେ ଜଣେ ଯୁବକ ଆହତ ହୋଇଥିବା ଜଣାପଡିଛି । ତେବେ ଷ୍ଟ୍ରଙ୍ଗରୁମ୍ରେ ଜଣେ ଯୁବକ ପଶିଥିବା ନେଇ ବିଜେପି ମଧ୍ୟ ଅଭିଯୋଗ କରିଛି । ଗଣତି ପୂର୍ବରୁ ଅନିୟମିତତା ନେଇ ବିଜେପି ଅଭିଯୋଗ କରିଛି । ସୂଚନା ଅନୁଯାୟୀ, ବିଜେବି କଲେଜ ଷ୍ଟ୍ରଙ୍ଗ ରୁମ ବାହାରେ ଲାଗିଥିବା ସିସିଟିଭି ଏଲଇଡି କିଛି ସମୟ ପାଇଁ ବନ୍ଦ ହୋଇଯିବାରୁ ପାଟିତୁଣ୍ଡ ହୋଇଥିଲା । ଏଵଂ ଲାଇନ କଟିଯାଇଥିବାରୁ ଷ୍ଟ୍ରଙ୍ଗ ରୁମ ଭିତରେ କିଛି ସନ୍ଦେହ ଜନକ କାର୍ଯ୍ୟକଳାପ ହେଉଥିବା ନେଇ ଅଭିଯୋଗ ହୋଇଛି । ଷ୍ଟ୍ରଙ୍ଗ ରୁମ ବାହାରେ ଥିବା ଏଜେଣ୍ଟମାନେ ଏନେଇ ସୁରକ୍ଷା କର୍ମୀଙ୍କ ନିକଟରେ ଅଭିଯୋଗ ପରେ ତ୍ରୁଟିକୁ ସଜଡ଼ାଯାଇଛି । ତେବେ ବେଶ କିଛି ସମୟ ପାଟିତୁଣ୍ଡ ପରେ ପରିସ୍ଥିତି ଶାନ୍ତ ପଡିଥିବା ଜଣାପଡିଛି ।