ଚାଲିଛି ଭୋଟ ଗ୍ରହଣ । କଡା ସୁରକ୍ଷା ମଧ୍ୟରେ ରାଜ୍ୟରେ ପୌର ପାଇଁ ଆରମ୍ଭ ହୋଇଛି ମତଦାନ । ସକାଳ ୮ଟାରୁ ଆରମ୍ଭ ହୋଇଥିବା ଭୋଟ ଗ୍ରହଣ ସନ୍ଧ୍ୟା ୫ଟା ପର୍ୟ୍ୟନ୍ତ ଚାଲିବ । ସାରା ରାଜ୍ୟର ୫୯ ଟି ଏନଏସି, ୪୭ ଟି ପୌର ପରିଷଦ ଏବଂ ୩ ଟି ମହାନଗର ନିଗମର ୧୭ ଶହ ୩୭ ୱାର୍ଡରେ ଆଜି ନିର୍ବାଚନ ହେଉଛି । ଏଥିପାଇଁ ୪ ହଜାର ୩ ଶହ ୭୩ ବୁଥରେ ମୋଟ ୪୦ ଲକ୍ଷ ୫୫ ହଜାର ଭୋଟର ନିଜର ମତଦାନ ସାବ୍ୟସ୍ତ କରିବେ ।
ଜଗତସିଂହପୁର ଜିଲ୍ଲା ପୌର ପରିଷଦର ୨୧ ଟି ୱାର୍ଡରେ ୩୩ଟି ବୁଥରେ ଚାଲିଛି ମତଦାନ | ପୋଲିସ ପ୍ରଶାସନ ପକ୍ଷରୁ ପ୍ରତି ବୁଥରେ ଜଣେ ଲେଖାଏଁ କନେଷ୍ଟବଳ ଓ ୫ ଜଣ ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି | ମୋଟ ୧୬୫ ପୋଲିଂ କର୍ମଚାରୀଙ୍କୁ ନିୟୋଜିତ ହୋଇଛନ୍ତି | ତେବେ ସମ୍ବେଦନଶୀଳ ବୁଥମାନଙ୍କରେ ସ୍ୱତନ୍ତ୍ର ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏସପି ଅଖିଳେଶ୍ବର ସିଂହ ନିଜେ ନିର୍ବାଚନ ଶାନ୍ତିଶୃଙ୍ଖଳା ପ୍ରକିୟାକୁ ତଦାରଖ କରୁଛନ୍ତି । ଜିଲାପାଳ ପାରୁଲ ପଟାୱାରୀ ,ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ ଓ ଚିନ୍ମୟୀ ବିଶ୍ୱାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ନିର୍ବାଚନ ପରିଚାଳନା ହେଉଛି । ନିର୍ବାଚନରେ ୨୧ଟି ୱାର୍ଡରେ ସମୁଦାୟ ୬୯ ଜଣ କାଉନସିଲର ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ୪ ଜଣ ଚେୟାରମ୍ୟାନ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ସେମାନଙ୍କ ଭାଗ୍ୟ ନିର୍ଧାରଣ କରିବେ ୨୫ ହଜାର ୫୧୭ ଜଣ ଭୋଟର । ସେମାନଙ୍କ ମଧ୍ୟରୁ ୧୩ ହଜାର ୪୩ ଜଣ ପୁରୁଷ ଭୋଟର ଥିବା ବେଳେ ୧୨ ହଜାର ୪୭୪ ଜଣ ମହିଳା ଭୋଟର ଅଛନ୍ତି ।
ଦୀର୍ଘ ୧୧ ବର୍ଷ ପରେ କେନ୍ଦ୍ରାପଡା ପୌର ପରିଷଦର ସାଧାରଣ ନିର୍ବାଚନ ଆରମ୍ଭ ହୋଇଛି । କେନ୍ଦ୍ରାପଡାରେ ୨୧ଟି ଓ୍ବାର୍ଡରେ ୪୧ଟି ଭୋଟ୍ ଗ୍ରହଣ କେନ୍ଦ୍ର ଖୋଲାଯାଇଛି । ସେଥିରୁ ୩ଟି ମଡେଲ ବୁଥ୍ ଓ ୩ଟି ପିଙ୍କ ବୁଥ୍ ରହିଛି | ପୌରାଞ୍ଚଳର ୩୬ ହଜାର ୫୪୮ ଜଣ ଭୋଟର ୮୨ଜଣ କାଉନସିଲର ପ୍ରାର୍ଥି ଓ ୪ ଜଣ ପୌରାଧ୍ୟକ୍ଷା ପ୍ରାର୍ଥିନୀ ମାନଙ୍କର ଭାଗ୍ୟ ନିର୍ଣ୍ଣୟ କରୁଛନ୍ତି । ଭୋଟ୍ ପରିଚାଳନା ପାଇଁ ସମଗ୍ର ପୌରାଞ୍ଚଳକୁ ୬ଟି ସେକ୍ଟରରେ ବିଭକ୍ତ କରାଯାଇଛି । ଏଥିରେ ୬ଜଣ ସେକ୍ଟର ଅଫିସର, ୬ଜଣ ସେକ୍ଟର ସୁପରଭାଇଜର, ୬ଜଣ ମାଜିଷ୍ଟ୍ରେଟ, ୬ଟି ମୋବାଇଲ୍ ପୋଲିସ ପେଟ୍ରୋଲିଂ ଟିମ୍ ନିୟୋଜିତ ହୋଇଛନ୍ତି । ସମସ୍ତ ଭୋଟ୍ ଗ୍ରହଣକେନ୍ଦ୍ର ଗୁଡିକ ସମ୍ବେଦନଶୀଳ ଘୋଷିତ ହୋଇଛି ।
ସେହିଭଳି ଶାନ୍ତି ଶୃଙ୍ଖଳାର ସହିତ ଜଟଣୀ ର ବିଭିନ୍ନ ବୁଥ୍ ରେ ଚାଲିଛି ମତଦାନ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି |