ବ୍ୟାଣ୍ଡ ପାର୍ଟି ଧରି ବିବାହ କରିବାକୁ ଆସିଥିଲେ ଯୁବକ | କିନ୍ତୁ ତାଙ୍କ ସହିତ ନା ଥିଲେ ବରଯାତ୍ରୀ ନା ତାଙ୍କ ପରିବାର ଲୋକ | ଜଣେ ଯୁବକ ମିଛ ପରିଚୟ ଦେଇ ବିବାହ କରିବାକୁ ରଚିଥିଲେ ଷଡଯନ୍ତ୍ର | ଏପରିକି କନ୍ୟାକୁ ଦେଇଥିବା ଅଳଙ୍କାର ମଧ୍ୟ ଥିଲ ନକଲି | ଏନେଇ କନ୍ୟା ଘର ଲୋକଙ୍କ ମନରେ ଉପୁଜିଥିଲା ସନ୍ଦେହ। ଗାଁ ଲୋକେ ବରକୁ ଅଟକ ରଖି ପଚରାଉଚରା କରିବା ପରେ ସେ ବିବାହିତ ବୋଲି ଜଣାପଡ଼ିଥିଲା। ପରେ ବରକୁ ଅଟକ ରଖି ପୋଲିସ ଜିମାରେ ଦେଇଥିଲେ କନ୍ୟାପକ୍ଷ ଲୋକ। ଏଭଳି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିର ଚାଉଳସୁଖା ଗାଁରେ। ବର ବେଶରେ ଆସିଥିବା ଯୁବକ ଲକ୍ଷ୍ମୀକାନ୍ତ ତିଓ୍ୱାରୀଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି।
ସୂଚନାଯୋଗ୍ୟ ଯେ, ନିଜକୁ କଳାହାଣ୍ଡି ଅଞ୍ଚଳର ସଞ୍ଜୟ ସାହୁ ବୋଲି ପରିଚୟ ଦେଇ ଚାଉଳସୁଖା ଗାଁର ଜଣେ ଝିଅଙ୍କ ସହ ବାହାଘର ସ୍ଥିର କରିଥିଲା | କନ୍ୟାପକ୍ଷଙ୍କୁ ଅନ୍ୟ ଜଣକ ଘରକୁ ନିଜ ଘର ବୋଲି ଦେଖାଇଥିଲା | ଗତକାଲି ବାହାଘର ତିଥି ସ୍ଥିର ହୋଇଥିଲା। ହେଲେ ବାବୁ ଜଣଙ୍କ ଲଗ୍ନର ଚାରି ଘଣ୍ଟା ପରେ ଏକାକୀ ବର ବେଶରେ ବାଜା ରୋଷଣୀ କରି ଆସି ଗାଁରେ ପହଞ୍ଚିଥିଲେ। ସାଥିରେ ବରଯାତ୍ରୀ ନ ଆଣି ଏକା ଆସିଥିବାରୁ କନ୍ୟା ଘର ଲୋକଙ୍କ ସନ୍ଦେହ ହୋଇଥିଲା । ବରକୁ ଅଟକ ରଖି ପଚରାଉଚରା ପରେ ତାଙ୍କ ନାମ ଲକ୍ଷ୍ମୀକାନ୍ତ ତିୱାରୀ ବୋଲି ଜଣା ପଡ଼ିଥିଲା। ତାପରେ ଗାଁଲୋକେ ବରକୁ ଉତ୍ତମ ମଧ୍ୟମ ଦେଇ ପୋଲିସକୁ ଖବର ଦେଇଥିଲେ | କଣ୍ଟାବାଞ୍ଜି ଥାନା ପୋଲିସ ସମ୍ପୃକ୍ତ ବରକୁ ଅଟକ ରଖି ପଚରାଉଚରା କରୁଛି । ଅନ୍ୟ ପକ୍ଷରେ ସମ୍ପୂର୍ଣ୍ଣ ଘଟଣା ର ଅଧିକ ତଦନ୍ତ ଚାଲିଛି ବୋଲି ଥାନା ଅଧିକାରୀ କହିଛନ୍ତି ।