ଦିନେ ନା ଦିନେ ବିଶ୍ୱରେ ଜଳ ସଂକଟ ଦେଖା ଦେବ । ହେଲେ ଆମେରିକା ଭଳି ଦେଶରେ ଲୋକମାନେ ଯେ ଜଳ ଅଭାବରୁ ବରଫକୁ ତରଳାଇ ବ୍ୟବହାର କରିବେ ତାହା ଭାବି ବା ଅସମ୍ଭବ ଥିଲା । ଆମେରିକାର ଟେକ୍ସାସ୍ରେ ପାଖାପାଖି ଦେଢ଼ କୋଟି ଲୋକଙ୍କୁ ଜଳ ସଙ୍କଟର ସାମ୍ନା କରିବାକୁ ପଡ଼ୁଛି । ଆମେରିକାର ଦେଢ କୋଟି ଲୋକ ଜଳ ଅଭାବରୁ ବରଫ ତରଳାଇ ତାହାକୁ ବ୍ୟବହାର କରଛନ୍ତି । ରାଜ୍ୟରେ ୧୦-୧୧ ଫେବୃଆରୀରେ ଆସିଥିବା ବରଫ ଝଡ଼ରେ ଇଲେକ୍ଟ୍ରିସିଟି ଗ୍ରିଡ୍ ଫେଲ୍ ହୋଇଯାଇଛି । ଯେଉଁ କାରଣରୁ ଲକ୍ଷ ଲକ୍ଷ ଘର କିଛି ଦିନ ପର୍ଯ୍ୟନ୍ତ ଅନ୍ଧାରରେ ରହିଥିବା ଜଣାପଡ଼ିଛି । ଏଥିସହିତ ବିନା ହିଟରରେ ଲେ।କଙ୍କୁ ରହିବାକୁ ପଡ଼ୁଛି । ଅତ୍ୟଧିକ ଥଣ୍ଡା କାରଣରୁ ପାଣି ସପ୍ଲାଇ ହେଉଥିବା ପାଇପ୍ ଫାଟି ଯାଇଥିଲା । ଫଳରେ ଲୋକମାନେ ବିନା ପାଣିରେ ରହୁଛନ୍ତି । ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମର ରିପୋର୍ଟ ମୁତାବକ, ପାଣିର ସପ୍ଲାଇ ହୋଇନପାରିବାରୁ ଲୋକେ ବରଫକୁ ଏକାଠି କରି ଏବଂ ତାକୁ ଗରମ କରି ପାଣିରେ ପରିଣତ କରୁଛନ୍ତି ଏବଂ ସେହି ପାଣିକୁ ବ୍ୟବହାର କରି ସେମାନେ ଚଳୁଛନ୍ତି । କିଛି ଲୋକ ବୋତଲ ବନ୍ଦ ପାଣି ଉପରେ ମଧ୍ୟ ନିର୍ଭର କରୁଛନ୍ତି । ପାଣି ବୋତଲ୍ ପାଇଁ ଲମ୍ୱାଲାଇନ୍ ମଧ୍ୟ ଦେଖିବାକୁ ମିଳିଛି । ରିପୋର୍ଟ ଅନୁସାରେ ରାଜ୍ୟର ଏକ ବଡ଼ ଭାଗରେ ୫ ଦିନ ପର୍ଯ୍ୟନ୍ତ ବିଜୁଳି ନଥିଲା । ପ୍ରଶାସନର ଚେଷ୍ଟା ପରେ ରାଜ୍ୟର ପାୱାର ପ୍ଲାଣ୍ଟ ଗୁଡ଼ିକ ଚାଲୁ ହୋଇଥିଲା । କିନ୍ତୁ ପାଖାପାଖି ୨ଲକ୍ଷ ଘରେ ଶୁକ୍ରବାର ସକାଳ ସୁଦ୍ଧା ବିଜୁଳି ସପ୍ଲାଇ ହୋଇ ପାରିନଥିବା ଜଣାପଡ଼ିଛି । ତେବେ ବରଫ ଗରମ କରି ପିଉଥିବା ପାଣି ଲୋକଙ୍କ ପାଇଁ କ୍ଷତିକାରକ ହୋଇପାରେ ବୋଲି କିଛି ଏକ୍ସପର୍ଟ ମତ ଦେଇଛନ୍ତି । କହିରଖୁ କି ଆମେରିକାର ଟେକ୍ସାସ୍ ସହରରେ ପାଖା ପାଖି ୨.୯ କୋଟି ଲୋକ ବସବାସ କରନ୍ତି । ଏବେ ସେମାନଙ୍କ ମଧ୍ୟରୁ ଅଧାରୁ ଅଧିକ ଲୋକ ଜଳ ସଂକଟର ସାମ୍ନା କରୁଛନ୍ତି । ସେପଟେ ବରଫ ତରଳାଇବା ପରେ ଯେଉଁ ପାଣି ମିଳୁଛି ତାହା ସ୍ୱାସ୍ଥ୍ୟପାଇଁ ବିପଦ ବୋଲି କୁହାଯାଇଛି ।