ବିଏସଏଫ ଆଇଜି ସତୀଶ ଚନ୍ଦ୍ର ବୁଡାକୋଟି ଆଜି ମାଲକାନଗିରି ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳ ପରିଦର୍ଶନ କରିଛନ୍ତି | ଏଥିସହ ଓଡ଼ିଶା-ଛତିଶଗଡ ସୀମା ଏବଂ ଓଡିଶା-ଆନ୍ଧ୍ର ସୀମାରେ ସୁରକ୍ଷା ବ୍ୟବସ୍ଥାର କରିଥିଲେ ସମୀକ୍ଷା । ଏକ ସାମ୍ବାଦିକ ସମ୍ମିଳନୀରେ ବୁଡାକୋଟି କହିଥିଲେ ଯେ, ମାଲକାନଗିରି ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ବିକାଶରେ ବିଏସଏଫ ପ୍ରମୁଖ ଭୂମିକା ଗ୍ରହଣ କରିଛି | ବିଏସ୍ଏଫ୍ ହେଉଛି “ଭାରତର ପ୍ରଥମ ଧାଡିର ପ୍ରତିରକ୍ଷା ବ୍ୟବସ୍ଥା”।
ଭାରତ ସରକାର ଦେଇଥିବା ପ୍ରତ୍ୟେକ ଦାଇତ୍ୱକୁ ବିଏସ୍ଏଫ୍ ପୂରଣ କରିବା ସହ ପ୍ରାକୃତିକ ବିପର୍ଯ୍ୟୟ, ନକ୍ସଲ ସମସ୍ୟା, ନିର୍ବାଚନ କର୍ତ୍ତବ୍ୟ ପାଳନ କରୁଛି। ୨୦୧୦ ମସିହାରେ ଓଡିଶାରେ ମୁତୟନ ପରଠାରୁ ବିଏସ୍ଏଫ୍ ଉଲ୍ଲେଖନୀୟ କାର୍ଯ୍ୟ କରିଆସୁଛି। ନିରାପତ୍ତା ଏବଂ ମାଓ ସଂଗଠନର ରଣନୀତିକୁ ସଫଳତାର ସହ ମୁକାବିଲା କରିଆସୁଛି।ମାଲକାନଗିରିର ଆଭ୍ୟନ୍ତରୀଣ ତଥା ଦୁର୍ଗମ ଅଞ୍ଚଳ ଗୋରାସେତୁ ଏବଂ ଯୋଡାଆମ୍ବ ଠାରେ ନୂତନ ବିଏସଏଫ ଶିବିର ପ୍ରତିଷ୍ଠା କରାଯାଇଛି। ସେହିପରି ଆନ୍ଧ୍ର-ଓଡିଶା ସୀମାନ୍ତ ଘନବେଢା, ସ୍ବାଭିମାନ ଅଞ୍ଚଳ ଏବଂ ମହୁପଦରରେ ମଧ୍ୟ ଶିଵିର ପ୍ରତିଷ୍ଠା କରି ମାଓ ମୁକାବିଲା କରାଯାଉଛି। ମାଓ ହିଂସା ନିୟନ୍ତ୍ରଣ ରଖିବାରେ ଛତିଶଗଡ-ଓଡିଶା ସୀମା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି କହିଥିଲେ ଆଇଜି ବୁଡାକୋଟି ।
ସ୍ଥାନୀୟ ଲୋକଙ୍କ ମଧ୍ୟରେ ସୁରକ୍ଷାକୁ ସର୍ବଦା ପ୍ରାଥମିକତା ଦେଇଛି ବିଏସଏଫ। ଚିତ୍ରାକୋଣ୍ଡା ବ୍ଲକରେ ମାଓ ସମସ୍ୟା ପାଇଁ ଦୀର୍ଘ ୧୦ ଵର୍ଷ ଧରି ନିର୍ବାଚନ ହୋଇ ପାରୁନଥିଲା। ଏଇ ନିକଟରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନରେ କିପରି ଅଞ୍ଚଳରେ ସୁବ୍ୟବସ୍ଥିତ ଓ ନିରପେକ୍ଷ ଭୋଟିଂ ହୋଇ ପାରିବ ବିଏସଏଫ ସେଥିପାଇଁ ଲଗାତାର ୭୨ ଘଣ୍ଟା ଧରି ନିଜର କର୍ତ୍ତବ୍ୟ ପାଳନ କରିଆସିଛି। କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ କରିବାରେ ସହାୟକ ହୋଇଛି ବିଏସଏଫ । ଗଞ୍ଜେଇ ଚାଷ ପାଇଁ ବ୍ୟବହୃତ ଜଙ୍ଗଲ ଜମି ଏବେ ଚାଷ ପାଇଁ ବ୍ୟବହୃତ ହେଉଛି।
ଏହି କାର୍ଯ୍ୟକ୍ରମରେ ଆଇଜି ସତୀଶ ଚନ୍ଦ୍ର ବୁଡାକୋଟି , ବିଏସଏଫ ଡିଆଇଜି ଅପରେସନ ବିପୁଲ ବିରଗୁସେନ , ବିଏସଏଫ ଡିଆଇଜି ମାଲକାନଗିରି ସୈଳେନ୍ଦ୍ର କୁମାର ସିହ୍ନା , ବିଏସଏଫ ଗୁଇନ୍ଦା ଏସ ମହାପାତ୍ରଙ୍କ ସହ ଅନ୍ୟ ବିଏସଏଫ ଅଧିକାରୀ ମାନେ ଉପସ୍ଥିତ ଥିଲେ।