ବିଜୁ ଜନତା ଦଳ ଏକ ଶାନ୍ତିପ୍ରିୟ ଦଳ | ଦଳରେ ବିଶୃଙ୍ଖଳାକୁ ବରଦାସ୍ତ କରେନି ବିଜେଡି | ପୌର ନିର୍ବାଚନ ସମୟରେ ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ବିଜେଡିର ୮ଜଣ ଛାମୁଆଁ କର୍ମୀଙ୍କୁ ଦଳରୁ ନିଲମ୍ବିତ କରାଯାଇଛି | କେନ୍ଦ୍ରାପଡା ଜିଲ୍ଲା ବିଜେଡି ସଭାପତି ଉତ୍କଳକେଶରୀ ପରିଡା ଆଜି ଉକ୍ତ କର୍ମୀମାନଙ୍କୁ ଦଳରୁ ଡିସ୍ ମିସ୍ କରିଛନ୍ତି ।
ଦଳରୁ ନିଲମ୍ବିତ ହୋଇଥିବା କର୍ମୀମାନେ ହେଲେ କାଳିପ୍ରସାଦ ମିଶ୍ର, ଦେବେନ୍ଦ୍ର ରାଉତ୍, ଶୁଭଶ୍ରୀ ନିବେଦିତା ସ୍ବାଇଁ, ଗୌତମ ସ୍ବାଇଁ, ରଶ୍ମୀତା ସିଂହ, ପ୍ରଶାନ୍ତ କୁମାର ସିଂହ, ସେକ୍ ଅସ୍ଲାମ୍ ଓ ଶଶୀକାନ୍ତ ବଳ । ଏହି ବିଜେଡି ନେତାମାନେ କେନ୍ଦ୍ରାପଡା ପୌର ନିର୍ବାଚନରେ ଦଳର ଶୃଙ୍ଖଳା ଭଙ୍ଗ କରି ଦଳର ପ୍ରାର୍ଥିମାନଙ୍କ ବିରୋଧରେ ସ୍ବାଧୀନ ପ୍ରାର୍ଥିଙ୍କୁ ଠିଆ କରିଛନ୍ତି | ସବୁଠାରୁ ଚର୍ଚ୍ଚିତ କଥା ହେଲା ଏହି ସମସ୍ତ ସ୍ବାଧୀନ ପ୍ରାର୍ଥିମାନଙ୍କ ମଧ୍ୟରୁ ୬ ଜଣଙ୍କର ଗୋଟିଏ ସମାନ ନିର୍ବାଚନ ଚିହ୍ନ ଛତା ରହିଛି ।
ସୂଚନା ଥାଉକି, ପୌର ନିର୍ବାଚନରେ ପ୍ରାର୍ଥିପତ୍ର ଦାଖଲ କରିଥିବା ୧୬ଜଣ ବିଜେଡିର ବିଦ୍ରୋହୀ ପ୍ରାର୍ଥି ସେମାନଙ୍କର ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ନେଇଥିଲେ । କିନ୍ତୁ ଏହି ୮ ଜଣ ବିଜେଡିର ଦଳୀୟ ପ୍ରାର୍ଥିମାନଙ୍କ ବିରୋଧରେ ପ୍ରାର୍ଥୀ ହୋଇ ଛତା ଚିହ୍ନରେ ନିର୍ବାଚନ ଲଢୁଛନ୍ତି ।