ପ୍ରେମ ଚିରନ୍ତନ , ପ୍ରେମ ଶାଶ୍ୱତ | ପ୍ରେମ ମାନେ ନାହିଁ ଜାତି, ଧର୍ମର ବାଡ଼ ବନ୍ଧନ | ତେବେ ପ୍ରେମ ପାଇଁ ଜଣେ ଯୁବତୀ ନିଜର ଧର୍ମ କରିଛନ୍ତି ପରିବର୍ତ୍ତନ | ଜଣେ ହିନ୍ଦୁ ଯୁବକଙ୍କୁ ବିବାହ କରିବେ ବୋଲି ମୁସଲିମରୁ ହୋଇଛନ୍ତି ହିନ୍ଦୁ | ବଲାଙ୍ଗୀର ଆର୍ଯ୍ୟ ସମାଜରେ ଆଜି ଜଣେ ମୁସଲମାନ ଝିଅ ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି । ବୈଦିକ ରୀତିନୀତି ଅନୁସାରେ ସେ ହିନ୍ଦୁ ଧର୍ମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ହିନ୍ଦୁ ଧର୍ମ ଗ୍ରହଣ କରିଥିବା ଯୁବତୀ ଜଣକ ହେଲେ ବରଗଡ଼ ଜିଲ୍ଲା ପାଇକମାଳ ଅଞ୍ଚଳର ସାଇନା ବେଗମ।
ସୂଚନା ଅନୁସାରେ, ଗତ କିଛି ଦିନ ତଳେ ପାଇକମାଲ ଗ୍ରାମର ୨୪ ବର୍ଷୀୟ ସାଇନା ବେଗମ ହିନ୍ଦୁ ଧର୍ମ ଗ୍ରହଣ କରିବା ନିମନ୍ତେ ବଲାଙ୍ଗୀର ସହର ସ୍ଥିତ ଆର୍ଯ୍ୟସମାଜ କାର୍ଯ୍ୟାଳୟରେ ଆନେଦନ କରିଥିଲେ । ଆର୍ଯ୍ୟ ମନ୍ଦିରର କାର୍ଯ୍ୟକର୍ତ୍ତା ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରି ସମସ୍ତ ପ୍ରକ୍ରିୟା ଶେଷ କରିଥିଲେ । ଆର୍ଯ୍ୟ ମନ୍ଦିରରେ ବୈଦିକ ରୀତିନୀତି ଅନୁସାରେ ଗତକାଲି ପୂଜାର୍ଚ୍ଚନା କରାଯାଇଥିଲା। ହୋମ ଯଜ୍ଞ କରାଯାଇଥିଲା । ପରେ ବିଧିବଦ୍ଧ ଭାବେ ସେ ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ | ତେବେ ସେ କାହାରି ଚାପରେ ଧର୍ମ ପରିବର୍ତ୍ତନ କରି ନାହାନ୍ତି ବୋଲି କହିଛନ୍ତି | ସେ ପିଲା ଦିନରୁ ହିନ୍ଦୁ ଧର୍ମ ପ୍ରତି ଆକୃଷ୍ଟ | କିନ୍ତୁ ପରେ ସେ ଜଣେ ହିନ୍ଦୁ ଯୁବକଙ୍କ ସହ ବହୁ ବର୍ଷ ଧରି ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଏବେ ସେମାନେ ବିବାହ କରିବାକୁ ଯାଉଥିବାରୁ ଏଭଳି ନିଷ୍ପତି ନେଇଥିବା ସେ କହିଛନ୍ତି | ଆଗକୁ ହିନ୍ଦୁ ଧର୍ମର ସମସ୍ତ ରୀତିନୀତି ମାନି ଚଳିବେ ବୋଲି କହିଛନ୍ତି ସାଇନା।
ପୂର୍ବରୁ ମଧ୍ୟ ବଲାଙ୍ଗିରରେ ଜଣେ ମୁସଲମାନ ଯୁବକ ହିନ୍ଦୁ ଧର୍ମ ଗହଣ କରିଥିଲେ। ଫଳରେ ଦିନକୁ ଦିନ ହିନ୍ଦୁଧର୍ମ ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ବାସ ବଢୁଥିବା ଚର୍ଚ୍ଚା ହେଉଛି।