ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ଗ୍ରହଣ କରିଛନ୍ତି କଠୋର ଆଭିମୁଖ୍ୟ । ଜନସାଧାରଣଙ୍କୁ ସ୍ବଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଆଜି ଆଉ ୬ ଜଣ ଅଧିକାରୀଙ୍କୁ ଦେଇଛନ୍ତି ବାଧ୍ୟତାମୂଳକ ଅବସର |୩ ଜଣ ଏକଜିକ୍ୟୁଟିଭ ଇଞ୍ଜିନିୟର, ଜଣେ ପୋଲିସ ଇନ୍ସପେକ୍ଟର, ଅତିରିକ୍ତ ଯୋଗାଣ ଅଧିକାରୀ ଓ ଜିଲ୍ଲା କଲ୍ୟାଣ ଅଧିକାରୀଙ୍କୁ ଦିଆଯାଇଛି ବାଧ୍ୟତାମୂଳକ ଅବସର । ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୫୮ ଜଣ ଅଧିକାରୀଙ୍କୁ ଚାକିରୀରୁ କରାଯାଇଛି ବରଖାସ୍ତ ।
ଚାକିରିରୁ ବିଦା ହୋଇଥିବା ୬ ଜଣଙ୍କ ମଧ୍ୟରୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅଧିନସ୍ଥ ଜନସ୍ବାସ୍ଥ୍ୟ ଇଞ୍ଜିନିୟରିଂ କ୍ୟାଡରର ରହିଛନ୍ତି ୩ ଜଣ ଏକ୍ଜିକ୍ୟୁଟିଭ ଇଞ୍ଜିନିୟର। ଏମାନଙ୍କ ମଧ୍ୟରୁ ସରୋଜ କୁମାର ଦାସଙ୍କ କାର୍ଯ୍ୟଶୈଳୀ ଆଦୌ ସନ୍ତୋଷଜନକ ନଥିଲା ଏବଂ ତାଙ୍କର ଅତୀତର ରେକର୍ଡରୁ ଜଣାଯାଇଛି ଯେ କାର୍ଯ୍ୟ କ୍ଷେତ୍ରରେ ସେ ଅତ୍ୟନ୍ତ ଅପାରଗ ଥିଲେ। ତେଣୁ ତାଙ୍କୁ ଦିଆଯାଇଛି ବାଧ୍ୟତାମୂଳକ ଅବସର ।
ସେହିପରି ଏକ୍ଜିକ୍ୟୁଟିଭ ଇଞ୍ଜିନିୟର ଦୟାନିଧି ସାମଲଙ୍କ କାର୍ଯ୍ୟକଳାପ ମଧ୍ୟ ସନ୍ତୋଷଜନକ ନଥିଲା | ତାଙ୍କର କାର୍ଯ୍ୟକଳାପ ଜଣେ ଦାୟିତ୍ବବାନ ସରକାରୀ କର୍ମଚାରୀଙ୍କ କାର୍ଯ୍ୟର ପରିପନ୍ଥୀ ଓ ଜନସ୍ବାର୍ଥ ବିରୋଧୀ। ଏହାସହିତ ଅପାରଗତା ଓ ଅସାଧୁତା ଆଦି କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଏକ୍ଜିକ୍ୟୁଟିଭ ଇଞ୍ଜିନିୟର କରୁଣାକର ଘଡାଇଙ୍କ ନାମରେ ଗୋଟିଏ ଦୁର୍ନୀତି ଅଭିଯୋଗ ରହିଛି। ଜଣେ ଯୋଗାଣକାରୀଙ୍କୁ ସେ ଅନୁଚିତ ଅନୁଗ୍ରହ ପ୍ରଦର୍ଶନ କରିଥିଲେ। ତାଙ୍କର କାର୍ଯ୍ୟକଳାପ ସନ୍ତୋଷଜନକ ନଥିବାରୁ ତାଙ୍କୁ ଦିଆଯାଇଛି ବାଧ୍ୟତାମୂଳକ ଅବସର।
ସେହିଭଳି ଅନୁଗୁଳ ଜିଲ୍ଲା ପୋଲିସ ଇନ୍ସପେକ୍ଟର ରତ୍ନାକର ମଲ୍ଲିକଙ୍କୁ ଅପାରଗତା କାରଣକୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ନୂଆପଡା ଜିଲ୍ଲାର ଅତିରିକ୍ତ ଯୋଗାଣ ଅଧିକାରୀ ରତ୍ନାକର ସେଠୀଙ୍କ ନାମରେ ଦୁଇଟି ଦୁର୍ନୀତି ମାମଲା ରହିଛି । ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଚଢାଉ କରାଯାଇ ତାଙ୍କ ନିକଟରୁ ୬.୫ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ କରାଯାଇ ତାଙ୍କୁ ଜେଲ୍କୁ ପଠାଯାଇଛି । ଅସାଧୁତା କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।
ଅନୁଗୁଳ ଜିଲ୍ଲାର ପୂର୍ବତନ କଲ୍ୟାଣ ଅଧିକାରୀ ଚାରୁଲତା ମଲ୍ଲିକଙ୍କ ନାମରେ ଗୋଟିଏ ଦୁର୍ନୀତି ମାମଲା ରହିଛି। ଜିଲ୍ଲା କଲ୍ୟାଣ ଅଧିକାରୀ ଭାବରେ ସେ ଲାଞ୍ଚ ଗ୍ରହଣ କରୁଥିବା ବେଳେ ଦୁର୍ନୀତି ନିବାରଣ ବିଭାଗ ଦ୍ବାରା ଧରା ପଡିଥିଲେ। ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା। ବର୍ତ୍ତମାନ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।