ମାଲକାନଗିରି ମାଓ ପ୍ରବଣ ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରେ ଆଦିବାସୀଙ୍କ ହୃଦୟ ଜିତି ପାରିଛି ବିଏସଏଫ | କେନ୍ଦ୍ରୀୟ ସୁରକ୍ଷା ବାହିନୀ ଗୋଟିଏ ପଟେ ମାଓବାଦୀ ହିଂସାକାଣ୍ଡକୁ ପୂର୍ଣ୍ଣଛେଦ ପକାଇବା ସହ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ନିଜର କରିବା ପ୍ରୟାସରେ ମଧ୍ୟ ହୋଇଛି ସଫଳ। ଜନ ସମ୍ପର୍କ ଶିବିର, ଚିକିତ୍ସା ଶିବିର ମାଧ୍ୟମରେ ସମସ୍ତଙ୍କୁ ମାଗଣା ଔଷଧ ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ତଥା ଯୁବପିଢି ପାଇଁ ଖେଳ ସରଞ୍ଜାମ ଯୋଗାଇ ଆଦିବାସୀ ଭାଇଭଉଣୀଙ୍କ ମନ ଜିଣି ପାରୁଛି ବୋଲି କହିଛନ୍ତି ବିଏସଏଫ ଆଇଜି ସତୀଶ ବୁଡାକୋଟି।
ପ୍ରତିବର୍ଷ ବିଏସଏଫ ପକ୍ଷରୁ ଆୟୋଜନ କରାଯାଉଛି ଜନ ସମ୍ପର୍କ ଶିବିର | ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମବାସୀଙ୍କୁ ଘର ଉପକରଣ, କମ୍ବଳ , ଟର୍ଚ୍ଚ ଲାଇଟ, ରେଡ଼ିଓ, ବସ୍ତ୍ର , ପାଠପଢ଼ା ସାମଗ୍ରୀ,ଖେଳ ସରଞ୍ଜାମ ଆଦି ପ୍ରଦାନ କରାଯାଉଛି । କାର୍ଯ୍ୟକ୍ରମରେ ସ୍ଥାନୀୟ ଏବଂ ଦୂରଦୂରାନ୍ତ ଗାଁର ବହୁ ଲୋକ ଉପସ୍ଥିତ ଥିଲେ। ଏହି ଅବସରରେ ଆଇଜି ସତୀଶ ଚନ୍ଦ୍ର ବୁଡାକୋଟି, ଡିଆଇଜି ଶୈଳେନ୍ଦ୍ର କୁମାର ସିହ୍ନା, ୮୮ ବାଟାଲିୟନ କମାଣ୍ଡାଣ୍ଡ ବିନୋଦ ସରୀନ, ସହ କମାଣ୍ଡାଣ୍ଟ ନରେନ୍ଦ୍ର ଉପସ୍ଥିତ ଥିଲେ | ଆଇଜି ସତୀଶ ଚନ୍ଦ୍ର ବୁଡାକୋଟି କହିଛନ୍ତି ଯେ ସାଧାରଣ ଲୋକଙ୍କ ମଧ୍ୟରେ ସୁରକ୍ଷାର ଭାବ ସୃଷ୍ଟି କରିବା ଏହି ଜନ ସମ୍ପର୍କ ଶିବିରର ମୁଖ୍ୟ ଲକ୍ଷ୍ୟ। ଆଗାମୀ ଭବିଷ୍ୟତରେ ବିଚ୍ଛିନ୍ନାଞ୍ଚଳର ସୁରକ୍ଷା ବଜାୟ ରଖିବା ସହ ମାନବିକତାର ସେବା ପାଇଁ ସ୍ଥାନୀୟ ଶିକ୍ଷିତ ଯୁବକ ବିଏସଏଫ ବାହିନୀରେ ଯୋଗ ଦେବା ଲାଗି ସହଯୋଗ କରିବାକୁ ବୁଡାକୋଟି ପ୍ରତିଶ୍ରୁତି ଦେଇଛନ୍ତି। ଏହି ଅବସରରେ ଅଞ୍ଚଳର ଯୁବକଙ୍କୁ ନେଇ ଏକ ଭଲିବଲ ପ୍ରତିଯୋଗିତା ହୋଇଥିଲା ।