କେନ୍ଦ୍ରାପଡା ପୌର ନିର୍ବାଚନ ପାଇଁ ଗତକାଲି ଥିଲା ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ | ୧୬ଜଣ ଓ୍ବାର୍ଡ ସଭ୍ୟ ଓ ଜଣେ ଅଧ୍ୟକ୍ଷା ପ୍ରାର୍ଥିନୀ କରିଛନ୍ତି ପ୍ରାର୍ଥିପତ୍ର ପ୍ରତ୍ୟାହାର। ସମସ୍ତ ରାଜନୈତିକ ଦଳର କର୍ମକର୍ତ୍ତା ଉପସ୍ଥିତିରେ ଅସନ୍ତୁଷ୍ଟ ଓ ବିଦ୍ରୋହୀ ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଛନ୍ତି । ଫଳରେ ପୌର ନିର୍ବାଚନ ପାଇଁ ପ୍ରକାଶ ପାଇଛି ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ।
ବିଶେଷକରି ଶାସକ ବିଜେଡିର ବିଦ୍ରୋହୀ ପ୍ରାର୍ଥୀମାନଙ୍କ ସଂଖ୍ୟା ଅଧିକ ରହିଥିଲା । ଜିଲ୍ଲା ବିଜେଡି ସଭାପତି ଉତ୍କଳକେଶରୀ ପରିଡା ଓ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରାଙ୍କ ହସ୍ତକ୍ଷେପ ଫଳରେ ଆଜି ଅନେକ ବିଦ୍ରୋହୀ ପ୍ରାର୍ଥୀମାନେ ସେମାନଙ୍କର ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଛନ୍ତି | ଅନେକ ଓ୍ବାର୍ଡରେ ବିଜେଡିର ବିଦ୍ରୋହୀ ପ୍ରାର୍ଥୀମାନେ ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ନିର୍ବାଚନ ଯୁଦ୍ଧ ଘୋଷଣା କରିଦେଇଛନ୍ତି ।
ପୌର ନିର୍ବାଚନରେ ମୋଟ୍ ୯୮ ଜଣ ପ୍ରାର୍ଥୀ ଓ୍ବାର୍ଡ କାଉନସିଲର ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିଲେ | ତେବେ ୧୬ ଜଣ ଓ୍ବାର୍ଡ କାଉନସିଲର ପ୍ରାର୍ଥୀ ସେମାନଙ୍କର ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଥିବାରୁ ଯୁଦ୍ଧ ମଇଦାନରେ ୮୨ ଜଣ ପ୍ରାର୍ଥୀ ରହିଛନ୍ତି । ସେହିଭଳି ପୌରାଧ୍ୟକ୍ଷା ପଦବୀ ପାଇଁ ୫ ଜଣ ପ୍ରାର୍ଥିପତ୍ର ଦାଖଲ କରିଥିବାବେଳେ ଆଜି ଓଡିଶା ଜନତା ପାର୍ଟିର ପୌରାଧ୍ୟକ୍ଷା ପ୍ରାର୍ଥିନୀ ତୁଳସୀ ମହାରଣା ତାଙ୍କର ପ୍ରାର୍ଥିପତ୍ର ଫେରାଇ ନେଇଛନ୍ତି । ଏଣୁ ପୌରାଧ୍ୟକ୍ଷା ପଦବୀ ପାଇଁ ଏବେ ୪ଜଣ ପ୍ରାର୍ଥିନୀ ନିର୍ବାଚନ ରଣାଙ୍ଗନରେ ରହିଛନ୍ତି ।