ଆଇନର ରକ୍ଷକ ସାଜିଛି ଭକ୍ଷକ | ପୋଲିସ ଯଦି ଚୋରା ଚାଲାଣରେ ସମ୍ପୃକ୍ତି ରହେ ତେବେ ଆମେ କହିବା କାହାକୁ ? ପୋଲିସ ବାବୁ ନିଜେ ସାଜିଥିଲେ ଗଞ୍ଜେଇ ଚୋରା ଚାଲାଣକାରୀ | ଗଞ୍ଜେଇ ଚୋରା ଚାଲାଣ ମାଫିଆଙ୍କ ସହ ପୋଲିସ ବାବୁଙ୍କ ରହିଥିଲା ସମ୍ପୃକ୍ତି। ମାଲକାନଗିରି ଜିଲ୍ଲା ପୋଲିସ କିଭଳି ଆଇନ ଆଖିରେ ଧୁଳି ଦେଇ ଗଞ୍ଜେଇ ଚୋରାଚାଲାଣ କରୁଥିଲେ ସେହି ଘଟଣାର ହୋଇଛି ପର୍ଦାଫାସ। ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଏବେ ବନ୍ଧା ହୋଇଛନ୍ତି ପୋଲିସ ଏଏସଆଇ | ତାଙ୍କ ତିନି ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି ପୋଲିସ | ଗିରଫ ପୋଲିସ ବାବୁ ଜଣକ ହେଲେ ମାଥିଲି ଥାନା ଅନ୍ତର୍ଗତ କର୍ତ୍ତନପାଲି ଫାଣ୍ଡିରେ କାର୍ଯ୍ୟରତ ଜଣେ ପୋଲିସ ଏଏସଆଇ |
କୌଣସି ସୂତ୍ରରୁ ଜିଲ୍ଲା ପୋଲିସକୁ ସୂଚନା ମିଳିଥିଲା ଯେ କର୍ତ୍ତନପାଲି ଏଏସଆଇ ଜୟଦାଶ ଖରା କିଛି ମାଫିଆଙ୍କ ସହ ମିଶି ଗଞ୍ଜେଇ ଚୋରା ଚାଲାଣ କରୁଛନ୍ତି। ଜିଲ୍ଲା ପୋଲିସ ଏକ ସ୍କ୍ବାଡ ଗଠନ କରି ଗଞ୍ଜେଇ ବେପାରୀ ଏଏସଆଇ ଖରା ଓ ତାଙ୍କ ସହଯୋଗୀଙ୍କୁ ଧରିବା ପାଇଁ ଜୁଟି ଯାଇଥିଲେ। ଅଭିଯୁକ୍ତ ଜୟଦାଶ ଖରା ନିଜେ ଗଞ୍ଜେଇ ଚୋରାଚାଲାଣ ପାଇଁ ଗାଡି ଠିକ କରିଥିବା ସୂଚନା ମିଳିଛି । ସେମାନେ କୌଣସି ଏକ ସ୍ଥାନରେ ଗଞ୍ଜେଇ ଲୁଚାଇ ରଖିଥିଲେ। ଉକ୍ତ ଗଞ୍ଜେଇକୁ ଛତିଶଗଡ ରାସ୍ତା ଦେଇ ଖସେଇବାକୁ ଯୋଜନା କରୁଥିଲେ | ଏହି ସମୟରେ ମାଲକାନଗିରି ଏସଡିପିଓ ଶୁଭେନ୍ଦୁ ପାତ୍ର ଏବଂ ଚିତ୍ରକୋଣ୍ଡା ଏସଡିପିଓ ଅଂଶୁମାନ ଦ୍ବିବେଦୀ ଏମାନଙ୍କୁ କାବୁ କରିଥିଲେ। ପୋଲିସ ଗିରଫ ଅଭିଯୁକ୍ତଙ୍କ ପାଖରୁ ୪୨୦ କେଜି ଗଂଜେଇ ଜବତ କରିଛି | ଏଥିସହ ୧୦ ହଜାର ଟଙ୍କା , ଗୋଟେ ଲ୍ୟାପଟପ, କାର, ୨ ଟି ମଟର ସାଇକେଲ ଏବଂ ମୋବାଇଲ ଜବତ କରିଛି।