ଉତ୍ତରପ୍ରଦେଶ ଲଖିମପୁର ଖେରି ହିଂସା ଘଟଣାର ପୁଣି ହୋଇଛି ପୁନରାବୃତ୍ତି | ବାଣପୁର ବ୍ଲକ କାର୍ଯ୍ୟାଳୟ ନିକଟରେ ଲୋକଙ୍କ ଭିଡ ଉପରେ ଗାଡି ଚଢ଼ାଇ ଦେଲେ ଚିଲିକା ବିଧାୟକ । ପୁଣି ଦେଖିବାକୁ ମିଳିଛି ଚିଲିକା ବିଧାୟକଙ୍କ ଦାଦାଗିରି । ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଲୋକଙ୍କ ଉପରେ ଗାଡି ଚଢାଇଦେବା ନେଇ ହୋଇଛି ଅଭିଯୋଗ । ଫଳରେ ୨୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି | ଗୁରୁତରଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି | ସେମାନଙ୍କ ମଧ୍ୟରେ ବିଜେପି କର୍ମୀ, ସାଧାରଣ ଲୋକ, ମହିଳା ଓ ପୋଲିସ କର୍ମଚାରୀ ଥିବା ମିଳିଛି ସୂଚନା । ଅନ୍ୟପକ୍ଷରେ ଉତ୍ତ୍ୟକ୍ତ ଲୋକେ ବିଧାୟକଙ୍କୁ ପିଟି ପିଟି କରିଦେଇଛନ୍ତି ଲହୁଲୁହାଣ | ଏହି ଘଟଣା ଯୋଗୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି।
ବ୍ଲକ ଅଧ୍ୟକ୍ଷ ନିର୍ବାଚନ ନିମନ୍ତେ ଆଜି ବାଣପୁର ବ୍ଲକ କାର୍ଯ୍ୟାଳୟରେ ସମ୍ମୁଖରେ ଭିଡ ଜମିଥିଲା । ବାହାରେ ପ୍ରାୟ ୫ଶହରୁ ଊର୍ଧ୍ଵ ଲୋକ ରୁଣ୍ଡ ହୋଇଥିଲେ। ପୋଲିସ ଫୋର୍ସ ବି ମୁତୟନ ହୋଇଥିଲେ। ଏହି ସମୟରେ ହଠାତ୍ ବିଧାୟକଙ୍କ ଗାଡି ଭିଡ ଭିତରକୁ ମାଡିଯାଇଥିଲା । ଫଳରେ ବିଧାୟକଙ୍କ ଗାଡ଼ି ଚାପାରେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସେଠାରୁ ୩ଜଣଙ୍କୁ ଭୁବନେଶ୍ୱର ଏମ୍ସ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି | ବିଧାୟକଙ୍କ ଏଭଳି ଅମାନବୀୟ କାଣ୍ଡ ପରେ ଉତ୍ତ୍ୟକ୍ତ ଲୋକେ ତାଙ୍କୁ ନିରଧୂମ ପିଟିଛନ୍ତି । ଲୋକଙ୍କ ମାଡରେ ପ୍ରଶାନ୍ତ ହୋଇଛନ୍ତି ଲହୁଲୁହାଣ । ଏପରିକି ସ୍ଥାନୀୟ ଲୋକେ ବିଧାୟକଙ୍କ ଗାଡିକୁ ଭାଙ୍ଗି ଚୁରମାର କରିଦେଇଛନ୍ତି । ଘଟଣାସ୍ଥଳରୁ ପୋଲିସ ପ୍ରଶାନ୍ତଙ୍କୁ ଉଦ୍ଧାର କରିଥିବା ବେଳେ ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରୁଛି ।