ଆନ୍ତଃରାଜ୍ୟ ଚୋରା ଚାଲାଣକାରୀ ରାକେଟ ସକ୍ରିୟ | ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ବଢୁଛି କଇଁଛ ଚୋରା ଚାଲାଣ | ଆନ୍ଧ୍ରପ୍ରଦେଶର କାକିନାଡା ଅଞ୍ଚଳରୁ କଇଁଛ ଆଣି ଚୋରାରେ ହେଉଛି ବିକ୍ରି | ଦୀର୍ଘ ଦିନ ଧରି ପ୍ରଶାସନକୁ ଚକମା ଦେଇ ଚାଲିଥିଲା ବେପାର। କୌଣସି ସୂତ୍ରରୁ ବନ ବିଭାଗ ସୂଚନା ପାଇ ଜିଲ୍ଲାର ଏକାଧିକ ସ୍ଥାନରେ କରିଛି ଚଢ଼ାଉ | ବନ ବିଭାଗ କଇଁଛ ବୋଝେଇ ମୋଟର ସାଇକଲକୁ ଜବତ କରିଛି | ୨ ଚୋରା ଚାଲାଣକାରୀଙ୍କୁ ଗିରଫ କରି କରିଛି କୋର୍ଟଚାଲାଣ |
କାଲିମେଳା ବ୍ଲକର ବିଭିନ୍ନ ସ୍ଥାନରେ କଇଁଛ ଚାଲାଣ କରାଯାଉଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଏଥିରେ ଅନ୍ତର୍ରାଜ୍ୟ ରାକେଟ ଜଡିତ ଥିବା ଅଭିଯୋଗ ହୋଇଆସୁଥିଲା | ଏମଭି ୭୯ ବନ ବିଭାଗ ଅଧିକାରୀ ରଶ୍ମିରଞ୍ଜନ ସ୍ବାଇଁଙ୍କ ନେତୃତ୍ୱରେ ଏକ ଟିମ ଆଜି ସକାଳେ ଏମପିଭି ୮୧ ଗ୍ରାମ ଠାରେ ପାଟ୍ରୋଲିଂ କରୁଥିବା ସମୟରେ ଏକ କଇଁଛ ବୋଝେଇ ମୋଟର ସାଇକଲକୁ କାବୁ କରିଥିଲେ। ପରେ ଜବତ କଇଁଛ ଓ ୨ ବେପାରୀଙ୍କୁ ବନ ବିଭାଗ କାର୍ଯ୍ୟାଳୟକୁ ଅଣାଯାଇଥିଲା। ଜବତ କଇଁଛର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ରୁ ୨୦ ହଜାର ଟଙ୍କା ହେବ ବୋଲି ବନ ବିଭାଗ ଅଧିକାରୀ କହିଛନ୍ତି। ଏ ନେଇ ବନ ବିଭାଗ ପକ୍ଷରୁ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଅଭିଜିତ ଵାଲା ଓ ପ୍ରକାଶ ତରଫଦାରଙ୍କୁ କୋର୍ଟ ଚାଲାଣ କରାଯାଇଛି। ବନ ବିଭାଗର ଏହି ଚଢାଉରେ ଫରେଷ୍ଟର ଦୀପଙ୍କର ଶିଉଲି, ଏସିଏଫ ଲିଲି ଆମାତ୍ୟା ଓ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ | ଅଚାନକ ଚଢ଼ାଉ ପରେ କଇଁଛ ବେପାରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିବା ଜଣାପଡିଛି।