ଭାରତ – ପାକିସ୍ତାନ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ସମସ୍ତଙ୍କୁ ଜଣା | କିନ୍ତୁ ଜଣେ ପାକିସ୍ତାନୀ ଝିଅ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି | ନରେନ୍ଦ୍ର ମୋଦିଙ୍କୁ ଏବଂ ଭାରତୀୟ ଦୂତାବାସକୁ ଧନ୍ୟବାଦ ଜଣାଇଛନ୍ତି ପାକିସ୍ତାନୀ ଝିଅ ଅସମା ସଫିକ୍ | ଯାହାର ଭଡ଼ିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି | ସେ କହିଛନ୍ତି, ଭାରତ ଆମର ଶତ୍ରୁ ରାଷ୍ଟ୍ର | କିନ୍ତୁ ବିପଦ ସମୟରେ ଭାରତ ତାର ଶତ୍ରୁତା ଭୁଲି ପାକିସ୍ତାନୀ ନାଗରିକଙ୍କୁ ମଧ୍ୟ ଯୁଦ୍ଧକ୍ଷେତ୍ରରୁ ସୁରକ୍ଷିତ ଭାବେ ଉଦ୍ଧାର ପାଇଁ ସହାୟତାର ହାତ ବଢାଇଛି | ଭିଡିଓରେ ଅସମା କହୁଛନ୍ତି ଯେ,ସେ କେବେ ଭାବିନଥିଲେ ଏହି ଯୁଦ୍ଧକ୍ଷେତ୍ରରୁ ସୁରକ୍ଷିତ ଭାବେ ଫେରି ନିଜ ପରିବାର ଲୋକଙ୍କୁ ଭେଟିପାରିବେ | ଭାରତୀୟ କର୍ତ୍ତୃପକ୍ଷଙ୍କ ଯୋଗୁ ସେ ଆଜି ପାଇଛନ୍ତି ନୂଆ ଜୀବନ | ଖୁବଶୀଘ୍ର ସେ ତାଙ୍କ ପରିବାର ଲୋକଙ୍କୁ ଭେଟିପାରିବେ ବୋଲି ଖୁସିରେ ଆତ୍ମହରା ହୋଇ କହିଛନ୍ତି ଅସମା ସଫିକ୍ |
ରୁଷ -ୟୁକ୍ରେନ ଯୁଦ୍ଧରେ ଫସିଛନ୍ତି ଅନେକ ନାଗରିକ | ଅପରେସନ୍ ଗଙ୍ଗା ଦ୍ୱାରା ପ୍ରାୟ 18 ହଜାରରୁ ଅଧିକ ଭାରତୀୟଙ୍କୁ ଉଦ୍ଧାର କରିଛନ୍ତି ଭାରତ ସରକାର | ଯେଉଁମାନେ ଏବେ ନିଜ ନିଜ ଜନ୍ମମାଟିକୁ ସୁରକ୍ଷିତ ଭାବେ ଫେରି ଆସିଛନ୍ତି | ୟୁକ୍ରେନ ସୀମାରେ ଭାରତୀୟ ଅଧିକାରୀମାନେ ପାକିସ୍ତାନୀ, ବାଂଲାଦେଶୀ ଏବଂ ଅନ୍ୟ ଦେଶର ଛାତ୍ରମାନଙ୍କୁ ମଧ୍ୟ ଯୁଦ୍ଧ କ୍ଷେତ୍ରରୁ ବାହାରିବାରେ ସାହାଯ୍ୟ କରିଥିଲେ। ‘ଅପରେସନ୍ ଗଙ୍ଗା’ ଅଧୀନରେ ୟୁକ୍ରେନରୁ 9 ବାଂଲାଦେଶୀ ନାଗରିକଙ୍କୁ ଉଦ୍ଧାର କରିଥିବାରୁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଭାରତୀୟଙ୍କ ବ୍ୟତୀତ ନେପାଳ ଏବଂ ଟ୍ୟୁନିସିଆର ଛାତ୍ରମାନଙ୍କୁ ମଧ୍ୟ ଏହି ଅପରେସନ୍ ସମୟରେ ଉଦ୍ଧାର କରାଯାଇଛି।