ବଡ ବଡ ନେତାମାନେ ନାମୀଦାମୀ ବ୍ରିଫକେସ ବ୍ୟବହାର କରିଥାନ୍ତି | ଅନେକ ସ୍ଥାନରେ ଚମଡା, ଝୋଟ ବ୍ରିଫକେସ ମଧ୍ୟ ବ୍ୟବହାର କରାଯାଇଥାଏ | କିନ୍ତୁ କେବେ ଶୁଣିଛନ୍ତି କି ଗୋବରରେ ନିର୍ମିତ ବ୍ରିଫକେସ ବିଷୟରେ | ଆଜ୍ଞା ହଁ | ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ଗୋବରରେ ନିର୍ମିତ ବ୍ରିଫକେସକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା |
ଆଜି ବିଧାନସଭାରେ ବଜେଟ୍ ଉପସ୍ଥାପନ କରିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ। ତେବେ ବାଘେଲଙ୍କ ହାତରେ ଥିବା ବ୍ରିଫକେସକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା | ସିଏମ ବାଘେଲ ଗୋବରରେ ନିର୍ମିତ ବ୍ରିଫକେସ ଭିତରେ ବଜେଟ୍ ତଥ୍ୟ ନେଇ ପହଂଚିଥିଲେ ବିଧାନସଭାରେ | ଏହି ବ୍ରିଫକେସ ଉପରେ ସୁନେଲି ରଙ୍ଗରେ ସଂସ୍କୃତରେ ଲେଖାଯାଇଛି ‘ଗୋମୟ ବସତେ ଲକ୍ଷ୍ମୀ’ | ଯାହାର ଅର୍ଥ ଗାଈ ଗୋବରରେ ବାସ କରନ୍ତି ଲକ୍ଷ୍ମୀ | ଦେଶରେ ପ୍ରଥମ ଥର ପାଇଁ ଜଣେ ମୁଖ୍ୟମନ୍ତ୍ରୀ ବଜେଟ୍ ଉପସ୍ଥାପନ ପାଇଁ ବ୍ୟବହାର କରିଛନ୍ତି ଗୋବରରେ ନିର୍ମିତ ବ୍ରିଫକେସ । ଏହାପୂର୍ବରୁ, ସାଧାରଣତଃ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ବଜେଟ ଉପସ୍ଥାପନ କରିବା ପାଇଁ ଚମଡା କିମ୍ବା ଝୋଟରେ ନିର୍ମିତ ବ୍ରିଫକେସ୍ ବ୍ୟବହାର କରିଛନ୍ତି |
ରାୟପୁର ଗୋକୁଲ ଧାମ ଗୋଶାଳାରେ କାର୍ଯ୍ୟ କରୁଥିବା ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନେ ଏହି ବ୍ରିଫକେସ୍ ପ୍ରସ୍ତୁତ କରିଛନ୍ତି | ଏହାର ଚାରିପଟକୁ ସୁନେଲି ରଙ୍ଗରେ ରଙ୍ଗାଯାଇଛି । ଏଥିରେ ଅନ୍ୟ ବ୍ରିଫକେସ୍ ଭଳି ଏକ ହ୍ୟାଣ୍ଡେଲ ମଧ୍ୟ ଲାଗିଛି । ଗୋଷ୍ଠୀର ମହିଳାମାନେ କହିଛନ୍ତି , ଗାଈ ଗୋବର ପାଉଡର, ଚୂନ ପାଉଡର, ମଇଦା କାଠ ଏବଂ ଅଠାର ମିଶ୍ରଣରେ ତିଆରି ହୋଇଛି ଏହି ବ୍ରିଫକେସ୍ | ଏହାକୁ ତିଆରି କରିବାକୁ 10 ଦିନ ଲାଗିଥିଲା |