ନିଶା ଯୋଗୁ ଉଜୁଡିଯାଉଛି ଅନେକ ପରିବାର | ପରିବାର ଭିତରେ ସବୁବେଳେ ଦେଖାଦେଉଥିଲା ଅଶାନ୍ତି | ଘରର ପୁରୁଷମାନେ ଯାହା ରୋଜଗାର କରନ୍ତି ନିଶାପାଣିରେ ଦିଅନ୍ତି ଉଡାଇ | ଆର୍ଥିକ ଅନଟନର ସମ୍ମୁଖୀନ ହେବାକୁ ପଡୁଥିଲା ମହିଳାଙ୍କୁ | ତେଣୁ ଗାଁକୁ ମଦମୁକ୍ତ କରିବାକୁ ମହିଳାମାନେ ନେଲେ ନିଷ୍ପତି | ସବୁ ମହିଳା ଏକଜୁଟ ହୋଇ କଲେ ବୈଠକ | ଗାଁରେ ମଦ କାରବାର ସମ୍ପୂର୍ଣ ବନ୍ଦ କରିବାକୁ ପ୍ରଥମ ପଦକ୍ଷେପ ନେଇଥିଲେ । କୌଣସି ପୁରୁଷ ଯଦି ମଦ ପିଇ ଘରକୁ ଆସିଲେ ତାଙ୍କ ଠାରୁ ଆଦାୟ କରାଗଲା ଫାଇନ | ଏବେ ମଦମୁକ୍ତ ହୋଇଛି ଗାଁ | ମହିଳାମାନଙ୍କ ଉଦ୍ୟମରେ ଏହା ହୋଇପାରିଛି ସମ୍ଭବ | ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦାଲପୁର ପଞ୍ଚାୟତର ଜବାଗୁଡା ଗାଁ ଏବେ ସମ୍ପୂର୍ଣ ମଦମୁକ୍ତ । ମୈଦଲପୁରର ପୂର୍ବତନ ସରପଞ୍ଚ ଶୁଭାଙ୍ଗିନୀ ଯାନୀଙ୍କ ନେତୃତ୍ୱ ଯୋଗୁ ଏହା ସମ୍ଭବପର ହୋଇପାରିଛି ବୋଲି କୁହନ୍ତି ଗାଁର ମହିଳାମାନେ |
ଜବାଗୁଡା ଗାଁର ଯାନୀ ସାହି ଓ ହରିଜନ ସାହିରେ ବସବାସ କରୁଛନ୍ତି ପାଖାପାଖି ୬୦ ପରିବାର । ପ୍ରାୟ ସମସ୍ତେ କୁଲିମଜୁରୀ କରି ପରିବାର ପ୍ରତିପଶଣ କରନ୍ତି । ଗାଁରେ ମଦ ବିକ୍ରି ଯୋଗୁଁ ମଦୁଆଙ୍କ ସଂଖ୍ୟା ବୃଦ୍ଧି ପାଉଥିଲା । ଫଳରେ ଅନେକ ଘରେ ଗଣ୍ଡଗୋଳ ହେବା ସହ ଅଶାନ୍ତ ସୃଷ୍ଟି ହେଉଥିଲା । ଗତ ଦୁଇମାସ ତଳେ ଗାଁରେ ମଦ କାରବାର ସମ୍ପୂର୍ଣ ବନ୍ଦ କରିବାକୁ ମହିଳାମାନେ ଏକ ବୈଠକ କରିଥିଲେ। ଗାଁରେ କୌଣସି ପ୍ରକାର ମଦ, ସଲପ ପ୍ରସ୍ତୁତି ସହ ବିକ୍ରିକୁ ବନ୍ଦ କରିବାକୁ ନିଆଯାଇଥିଲା ନିଷ୍ପତ୍ତି । ଏପରିକି କୌଣସି ପୁରୁଷ ମଦ ପିଇ ଘରକୁ ଆସିଲେ ଫାଇନ ଆଦାୟ ପାଇଁ ନିଷ୍ପତ୍ତି ହୋଇଥିଲା । ଏହାର ନେତୃତ୍ୱ ନେଇଥିଲେ ପୂର୍ବତନ ସରପଞ୍ଚ । ଗଣଙ୍କୁ ସମ୍ପୂର୍ଣ ମଦମୁକ୍ତ କରିବାକୁ ଗାଁର ଚନ୍ଦ୍ରା ଯାନୀ, ଉହ୍ଲାସୀ ଯାନୀ, ପ୍ରମିଳା ଯାନୀ, ଅମ୍ବିକା ଯାନୀ, କଣ୍ଟା ଯାନୀ, ରଜନୀ ଯାନୀ, କୌଶଲ୍ୟା ଯାନୀ, ରଦମା ହରିଜନ, ମୁକ୍ତା ହରିଜନ, କୁନି ହରିଜନ ପ୍ରମୁଖ ଆଗେଇ ଆସିଥିଲେ |