ମାଲକାନଗିରି ଜିଲ୍ଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦରେ ହେବାକୁ ଥିବା ପୌର ନିର୍ବାଚନ ପାଇଁ ଅନୁଷ୍ଠିତ ହୋଇଯାଇଛି ସର୍ବଦଳୀୟ ବୈଠକ | ସ୍ଥାନୀୟ ଏନଏସି କାର୍ଯ୍ୟାଳୟଠାରେ ଚିତ୍ରକୋଣ୍ଡା ତହସିଲଦାର ତଥା ନିର୍ବାଚନ ଅଧିକାରୀ ଟି ପଦ୍ମନାଭ ଦୋରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଏକ ସର୍ବ ଦଳୀୟ ବୈଠକ |
ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ନାମାଙ୍କନ ପତ୍ର ଦାଖଲ ସମୟରେ ପାର୍ଥି ଓ ଦୁଇ ଜଣ ସମର୍ଥକଙ୍କୁ କାର୍ଯ୍ୟାଳୟ ଭିତରକୁ ପ୍ରବେଶ କରିବାକୁ ଦିଆଯିବ ଅନୁମତି । ନାମାଙ୍କନ ଶୋଭାଯାତ୍ରା ୩ ଶହ ମିଟର ପୂର୍ବରୁ ଅଟକାଇବା ବାଧ୍ୟତାମୂଳକ ବୋଲି ବୈଠକରେ କୁହାଯାଇଥିଲା | କାର୍ଯ୍ୟାଳୟ ପର୍ଯ୍ୟନ୍ତ ୨୦ ଜଣକୁ ଅନୁମତି ରହିଥିବା ବେଳେ ନାମାଙ୍କନ ପତ୍ର ଦାଖଲ ସମୟରେ ମାତ୍ର ୩ ଜଣଙ୍କୁ କାର୍ଯ୍ୟାଳୟ ମଧ୍ୟକୁ ଯିବାକୁ ଦିଆଯାଇଛି ଅନୁମତି । ତେବେ ନାମାଙ୍କନ ପତ୍ର ଦାଖଲ କରିବାକୁ ଯିବା ସମୟରେ ବାଇକ ରାଲି ସମ୍ପୁର୍ଣ୍ଣ ମନା। ଡ଼ାକବାଜି ଯନ୍ତ୍ର , ସଭା ସମିତି, ଗାଡି ନିୟୋଜିତ ପାଇଁ ଉପ ଜିଲ୍ଲାପାଳଙ୍କଠାରୁ ଅନୁମତି ପତ୍ର ଆଣିବାକୁ ପଡିବ। ଶାନ୍ତି ଶୃଙ୍ଖଳା ସହ ନିର୍ବାଚନ ଶେଷ କରିବା ପାଇଁ ପ୍ରଶାସନ ପକ୍ଷରୁ ସବୁ ଦଳକୁ ଅନୁରୋଧ କରାଯାଇଛି । ବୈଠକରେ ନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ରଥ, ବିଜେଡ଼ି ନଗର ସଭାପତି ମଙ୍ଗଳା ପାଙ୍ଗି, ବିଜେପି ନଗର ସଭାପତି ଶୁଭାଶିଷ କର, କଂଗ୍ରେସ ନଗର ସଭାପତି ସୁରେଶ ଖୋସଲା ଓ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।