ନାବାଳିକାଙ୍କୁ ଅତି ନିର୍ମମ ଭାବରେ କରିଥିଲେ ଦୁଷ୍କର୍ମ | ଟେକି ନେଇ ଏକ ନିଛାଟିଆ ସ୍ଥାନରେ କରିଥିଲେ ବଳାତ୍କାର | ନାବାଳିକା ଜଣକ ସାହାଯ୍ୟ ପାଇଁ ଚିତ୍କାର କରିବାରୁ ତାର ପାଟିରେ ଭର୍ତ୍ତି କରି ଦେଇଥିଲେ କପଡା | ରଶିରେ ବାନ୍ଧି ଜୋର ଜବରଦସ୍ତ କରିଥିଲେ ଦୁଷ୍କର୍ମ | ଏଭଳି ଲୋମହର୍ଷଣକାରୀ ଘଟଣାଟି ଘଟିଥିଲା ନଭେମ୍ବର ୬ ତାରିଖ ୨୦୧୮ ମସିହାରେ । ୩ ବର୍ଷ ପରେ ପୀଡ଼ିତା ଓ ତାଙ୍କ ପରିବାରକୁ ମିଳିଛି ନ୍ୟାୟ | ସମସ୍ତ ସାଖ୍ୟ ପ୍ରମାଣକୁ ବିଚାର କରି ଆଜି କେନ୍ଦ୍ରାପଡା ଫାଷ୍ଟଟ୍ରାକ କୋର୍ଟ ଅଭିଯୁକ୍ତଙ୍କୁ କରିଛନ୍ତି ଦୋଷୀ ସାବ୍ୟସ୍ତ । ମାନ୍ୟବର ବିଚାରପତି ତ୍ରିବିକ୍ରମ କେଶରୀ ଚିନ୍ନରା ଏହି ମାମଲାରେ ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୫୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି । ଜରିମାନା ଅନାଦେୟ ଆଉ ଅଧିକ ଏକ ବର୍ଷ ଜେଲଦଣ୍ଡ ଭୋଗିବାକୁ ଆଦେଶ ଦେଇଛନ୍ତି ।
ସେଦିନ ସମୟ ପ୍ରାୟ ଦିନ ୨ଟା ହେବ । ନାବାଳିକା ଜଣକ ଦାଣ୍ଡରେ ଶୁଖୁଥିବା ଲୁଗାକୁ ଘରକୁ ଆଣିବାକୁ ଲୁଗାଗୁଡିକୁ ଗୋଟାଉଥିଲେ । ହଠାତ ପଛରୁ ଯାଇ ନବୀନ ସେଠି ନାବାଳିକଙ୍କୁ ମାଡି ବସି ଥିଲା | ନାବାଳିକା ଜଣକ ଚିତ୍କାର କରିବାରୁ ପାଟିରେ କପଡା ଭର୍ତ୍ତିକରି ବାନ୍ଧି ପକାଇ ପଡୋଶୀ ଗୋଲେଖ ସେଠିଙ୍କ ଘସି ଭାଡି ମଧ୍ୟକୁ ଟେକି ନେଇ ଦୁଷ୍କର୍ମ କରିଥିଲା । ଘରେ ପହଞ୍ଚି ୧୪ ବର୍ଷିୟା ନାବାଳିକା ଜଣକ ତାଙ୍କ ମା’ଙ୍କ ନିକଟରେ ସବୁ କଥା କହିଥିଲେ । ପିଡିତାଙ୍କର ମା’ କେନ୍ଦ୍ରାପଡା ଜିଲ୍ଲା ରାଜନଗର ଥାନାରେ ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ । ରାଜନଗର ପୋଲିସ ଏହି ସଙ୍ଗୀନ ମାମଲାକୁ ଦଫା ୩୭୬ (ବି) ଓ ୪ ପୋକ୍ସୋ ଆକ୍ଟରେ ପଞ୍ଜିକରଣ କରିଥିଲା । ପରେ ଅଭିଯୁକ୍ତ ନବୀନ ସେଠିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ନବୀନ କେନ୍ଦ୍ରାପଡାର ବାରିମୂଳ ଜେଲ ହାଜତରେ ବିଚାରାଧୀନ ବନ୍ଦି ହୋଇ ରହିଛନ୍ତି । ଆଜି କେନ୍ଦ୍ରାପଡା ଫାଷ୍ଟଟ୍ରାକ କୋର୍ଟ ଅଭିଯୁକ୍ତ ନବୀନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମନୋଜ କୁମାର ସାହୁ ମାମଲା ପରିଚାଳନା କରୁଥିଲେ । ମାମଲାର ଏହି ରାୟ ପ୍ରକାଶ ପାଇବା ପରେ ପିଡିତାଙ୍କ ପରିବାର ଆଶ୍ବସ୍ତି ଅନୁଭବ କରିଛନ୍ତି ।