ଷ୍ଟାର୍ଟରେ ଅଛି କାର | କାର ଭିତରେ ରହିଛି ମୃତଦେହ | ପାଖରେ ନାହାନ୍ତି କେହି | ଏକ ନିଛାଟିଆ ସ୍ଥାନରେ କାରଟି ଛିଡା ହୋଇଥିବା ବେଳେ ପଛ ସିଟରେ ପଡିଛି ମୃତଦେହ | ତେବେ ଏଠାରେ ପ୍ରଶ୍ନ ଉଠୁଛି କାର ଭିତରକୁ ମୃତଦେହ ଆସିଲା କେଉଁଠୁ ? କେହି ହତ୍ୟା କରି ଗାଡ଼ିରେ ମୃତଦେହକୁ ଛାଡି ଚାଲିଯାଇନି ତ ? ନା ଅନ୍ୟ ସ୍ଥାନରେ କେହି ହତ୍ୟା କରି ଗାଡ଼ିରେ ଆଣି ଏଠାରେ ଛାଡି ଫେରାର ହୋଇଯାଇଛନ୍ତି ? ଏମିତି ଅନେକ ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରୁଛି | ତେବେ ମୃତ ବ୍ୟକ୍ତି ଜଣକ ମହାରାଷ୍ଟ୍ର ନାଗପୁରର ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ବେଶ ଆଲୋଡନ ସୃଷ୍ଟି ହୋଇଛି |
ହିନ୍ଦୋଳ ଥାନା ପୁରୁଣା କଟକ ସମ୍ବଲପୁର ରାସ୍ତା ଗୁଳେହି ଛକ କାଜଲ ଢ଼ାବା ପାଖରେ ଏକ କାର ଛିଡା ହୋଇଥିଲା | ଗତକାଲି ଠାରୁ କାରଟି ଷ୍ଟାର୍ଟରେ ଥିବା ବେଳେ ସେଥିରୁ ଜଣେ ଯୁବକଙ୍କ ମୃତଦେହ ଥିବା ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ | ହିନ୍ଦୋଳ ପୋଲିସ ସେଠାରେ ପହଞ୍ଚି ଗାଡ଼ି କାଚ ଭାଙ୍ଗି ମୃତଦେହ ଜବତ କରିଛି | ମୃତଦେହ ନିକଟରୁ ପୋଲିସ ଏକ ମୋବାଇଲ୍ ଫୋନ ଏବଂ ବହୁ ଗୁରୁତପୂର୍ଣ୍ଣ କାଗଜପତ୍ର ଜବତ କରିଛି | ସେଥିରୁ ତାଙ୍କ ଘର ମହାରାଷ୍ଟ୍ର ନାଗପୁରର ପ୍ରଣବ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ବୋଲି ଜଣାପଡିଛି । ପୋଲିସ ତାଙ୍କ ଘର ଲୋକଙ୍କୁ ଜଣାଇବା ପରେ ଅଧିକ ତଦନ୍ତ କରୁଛି।