ବାଲୁକା କଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ କିଏ ବା ନଜାଣେ | ତାଙ୍କ ବାଲୁକା କଳା ସମଗ୍ର ବିଶ୍ୱରେ ପରିଚିତ | ସରୁ ସରୁ ବାଲିରେ ଅତି ନିଖୁଣ ଭାବେ ନିର୍ମାଣ କରନ୍ତି ମୂର୍ତ୍ତି | ତାଙ୍କ ହାତର ସ୍ପର୍ଶରେ ବାଲିରେ ତିଆରି ମୂର୍ତ୍ତିଟି ଜୀବନ୍ତ ହୋଇଉଠେ | ସେହି ବାଟରେ ଯାଉଥିବା ମଣିଷଟି ମୂର୍ତ୍ତିକୁ ଦେଖି ଘଡ଼ିଏ ଚାହିଁ ରହେ | ସତେ ଯେପରି ମୂର୍ତ୍ତିଟି ତାଙ୍କ ସହ କଥା କହୁଛି | ବାଲୁକା କଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଆଜି ମହାଶିବରାତ୍ରୀ ଅବସରରେ ବାଲିରେ ଭଗବାନ ଶିବଙ୍କ ପ୍ରତିମା ତିଆରି କରିଛନ୍ତି | ସେ ପୁରୀବେଳାଭୂମିରେ ୨୩ ହଜାର ୪୩୬ ରୁଦ୍ରାକ୍ଷ ବ୍ୟବହାର କରି ଶିବଙ୍କ ମୂର୍ତ୍ତି ତିଆରି କରିଛନ୍ତି । ମୂର୍ତ୍ତି ୯ ଫୁଟ୍ ଉଚ୍ଚତା ଥିବା ବେଳେ ୧୮ ଫୁଟ୍ ରହିଛି ଚଉଡା ।
ଏବେ ସମଗ୍ର ବିଶ୍ୱ ପାଇଁ ସଙ୍କଟମୟ ସମୟ | ଋଷ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ତୃତୀୟ ବିଶ୍ୱଯୁଦ୍ଧର ଆଡକୁ ମୁହାଉଁଛି । ଏହି ସମୟରେ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ କରାଯାଉଛି ପ୍ରାର୍ଥନା | ତେଣୁ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ଏବଂ ଯୁଦ୍ଧ ବନ୍ଦ ପାଇଁ ଆଜିର ପବିତ୍ର ଦିନରେ ଭଗବାନ ଶିବଙ୍କ ପ୍ରତିମୁର୍ତି ତିଆରି କରି ପ୍ରାର୍ଥନା କରିଥିବା କହିଛନ୍ତି ବାଲୁକା କଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ |