ଯୁଦ୍ଧର ଆଜି ପଞ୍ଚମ ଦିନ | ୟୁକ୍ରେନ ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଘନ ଘନ ବୈଠକ । ୟୁକ୍ରେନରେ ଫସିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିଆଯାଇଛି ନିଷ୍ପତି | ‘ଅପରେସନ୍ ଗଙ୍ଗା’ କୁ ଜୋରଦାର କରିବାକୁ ୪ ଜଣ ମନ୍ତ୍ରୀଙ୍କୁ ଦିଆଯାଇଛି ଦାୟିତ୍ୱ | ସେଠାରେ ଫସି ରହିଥିବା ଛାତ୍ରଛାତ୍ରୀଙ୍କ ଉଦ୍ଧାର କାର୍ଯ୍ୟରେ ସହାୟତା କରିବାକୁ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ହରଦୀପ ସିଂ ପୁରୀ, ଜେନେରାଲ ଭି.କେ ସିଂ ଏବଂ କିରନ ରିଜିଜୁ ୟୁକ୍ରେନର ପଡୋଶୀ ଦେଶକୁ ଗସ୍ତ କରିବେ। ଏହି ମନ୍ତ୍ରୀମାନେ ଭାରତର ସ୍ୱତନ୍ତ୍ର ଦୂତ ଭାବରେ ଯାଉଛନ୍ତି।
ୟୁକ୍ରେନରୁ ୨୪୯ ଭାରତୀୟଙ୍କୁ ନେଇ ପଞ୍ଚମ ବିମାନ ଦିଲ୍ଲୀରେ ଅବତରଣ କରିଛି। ରବିବାର ରାତିରେ ରୋମାନିଆରୁ ଦିଲ୍ଲୀକୁ ଏହି ବିମାନ ଉଡ଼ାଣ କରିଥିଲା। ବୈଦେଶିକ ମନ୍ତ୍ରୀ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ଯେତେବେଳେ ବିମାନଟି ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଲା, ପରିବାର ସଦସ୍ୟ ସେମାନଙ୍କ ପ୍ରିୟଜନଙ୍କୁ ଭେଟିବା ପରେ ଭାବପ୍ରବଣ ହୋଇଯାଇଥିଲେ |