ଚାରିଆଡ଼େ କେବଳ ଗୋଳାବାରୁଦ ଓ ମିସାଇଲର ଭୟଙ୍କର ଶବ୍ଦ । ଏନେଇ ଥିବାବେଳେ ସମସ୍ତେ ଚିନ୍ତିତ ଓ ଭୟଭୀତ ଥିବାବେଳେ । କିଏ ୟୁନିଭର୍ସିଟି, ଆଶ୍ରୟସ୍ଥଳୀ, ଅଂଡ଼ରଗ୍ରାଉଣ୍ଡ ହସ୍ପିଟାଲ ତ ଆଉ କିଏ ମେଟ୍ରୋ ଷ୍ଟେସନରେ ଆଶ୍ରୟ ନେଇଛନ୍ତି । ଏଭଳି ସମୟରେ ମେଟ୍ରୋ ଷ୍ଟେସନରେ ଶୁଭାଯାଉଛି କଅଁଳା ଶିଶୁର କୁଆଁ କୁଆଁ ଶବ୍ଦ । କାରଣ ୨୩ ବର୍ଷୀୟ ଗର୍ଭବତୀଙ୍କଠୁ ଜନ୍ମ ନେଇଛି ଶିଶୁକନ୍ୟା ‘ମିଆ’ । ଆଉ ଏଭଳି ଭୟଭୀତ ମୁଖମଣ୍ଡଳରେ ଟିକିଏ ହସ ଫୁଟାଇବାର ସାଜିଛି କାରଣ । ଋଷର ଅତର୍କିତ ଆକ୍ରମଣ ପରେ ଧରାଶାୟୀ ହୋଇଛି ୟୁକ୍ରେନ । ରାଷ୍ଟ୍ରବାସୀ ବ୍ୟାକୁଳ ଆର୍ତ୍ତ ଚିତ୍କାର କରୁଥିବାବେଳେ ସମସ୍ତେ ଭୟଭୀତ ଅବସ୍ଥାରେ ରହିଛନ୍ତି ।
ଦିନରାତି ଜାରି ରହିଛି ଯୁଦ୍ଧ । ଅଶାନ୍ତ ହୋଇଛି ୟୁକ୍ରେନ । ଚାରିଆଡ଼େ ଗୋଳାବାରୁଦ ଶବ୍ଦରେ ପରିବେଶ ଫାଟି ପଡୁଥିବାବେଳେ ଜଣେ ୨୩ ବର୍ଷୀୟ ଯୁବତୀଙ୍କ ମୁଖରେ ଫୁଟିଛି ହସ । କାରଣ ସେ ଜନ୍ମ ଦେଇଛନ୍ତି ଏକ ଶିଶୁକନ୍ୟାକୁ । ଫଳରେ ଅଣ୍ଡରଗ୍ରାଉଣ୍ଡ ମେଟ୍ରୋ ଷ୍ଟେସନରେ ଥିବା ଲୋକ ଭୟଭୀତ ଅବସ୍ଥାରେ ଥାଇ ମଧ୍ୟ ସାମାନ୍ୟ ଟିକେ ଖୁସି ପାଇଛନ୍ତି । ଋଷ ଓ ୟୁକ୍ରେନ ମଧ୍ୟରେ ଗତ ୨ ଦିନ ଧରି ଭୀଷଣ ଯୁଦ୍ଧ ଲାଗି ରହିଥିବାବେଳେ ଏଭଳି ଅଣ୍ଡରଗ୍ରାଉଣ୍ଡ ମେଟ୍ରୋ ଷ୍ଟେସନଠୁ ଆରମ୍ଭ କରି ବୋମାରୁ ବଞ୍ଚିବା ପାଇଁ ନିର୍ମାଣ ହୋଇଥିବା ଆଶ୍ରୟସ୍ଥଳୀରେ ରାଷ୍ଟ୍ରବାସୀ ଆଶ୍ରୟ ନେଇଛନ୍ତି । ଏହି ଭୟର ବାତାବରଣ ଚାଲିଥିବାବେଳେ ଯୁବତୀ ଜଣକ ଶିଶୁକନ୍ୟାକୁ ଦେଇଛନ୍ତି ଜନ୍ମ । ଯୁଦ୍ଧ ଆରମ୍ଭ ହେବା ପରେ ଏହି ଗର୍ଭବତୀ ଜଣକ ମେଟ୍ରୋ ଷ୍ଟେସନରେ ଆଶ୍ରୟ ନେଇଥିଲେ ତେବେ ଯାହା ଖବର ରହିଛି ଯେ ,କିଛି ସମୟ ପରେ ତାଙ୍କର ପ୍ରସୂତି ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା । ଏହି ଖବର ପାଇବା ପରେ ୟୁକ୍ରେନ ପୋଲିସ ଗର୍ଭବତୀଙ୍କୁ ସାହାଯ୍ୟ କରିବା ପାଇଁ ତାଙ୍କ ନିକଟରେ ପହଞ୍ଚିବାକୁ ଉଦ୍ୟମ କରିଥିଲେ । ଏବଂ ଏହା ସହିତ ମେଟ୍ରୋ ଷ୍ଟେସନରେ ହିଁ ସେ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । ରାତି ପ୍ରାୟ ସାଢେ ୮ଟା ସମୟରେ ଏହି ଘଟଣା ଘଟିଥିଲା । ଏହାପରେ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ହସ୍ପିଟାଲକୁ ପହଞ୍ଚାଯାଇଥିଲା । ସେଠାରେ ଉଭୟ ମାଆ ଓ ଶିଶୁ ସୁସ୍ଥ ଥିବା ଜଣାପଡ଼ିଛି । ତେବେ ଏଭଳି ଏକ ଘଡ଼ିସନ୍ଧି ମୁହୁର୍ତରେ ସମସ୍ତେ ଯୁଦ୍ଧକୁ ନେଇ ଚିନ୍ତିତ ଥିବାବେଳେ ଏକ ଶିଶୁକନ୍ୟା ଜନ୍ମ ନେଇଛି । କେଉଁଠି ନା କେଉଁଠି ଏହା ଏକ ନୂତନ ସକାଳର ସ୍ପର୍ଶ ବୋଲି କିଛିଲୋକ ମାନି ନେଇଛନ୍ତି । ଏହି ଆହ୍ବାନପୂର୍ଣ୍ଣ ଡେଲିଭରି କରିବା ପରେ ଶିଶୁର ମାଆ ଖୁସି ଥିବା ଜଣାପଡ଼ିଛି । ତେବେ ଏଭଳି ସଙ୍କଟ ସମୟରେ ଯୁବତୀ ଶିଶୁକୁ ଜନ୍ମ ଦେବା ପରେ ଘଟଣାଟି ଏବେ ବିଶ୍ବବାସୀଙ୍କ ଦୃଷ୍ଟି ଆକର୍ଷଣ କରିଛି । ଏହି ନବଜାତର ଫଟୋଟି ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।