ସରିଛି ନିର୍ବାଚନ | ଦୁକୁ ଦୁକୁ ହେଉଛି ପ୍ରାର୍ଥୀଙ୍କ ଛାତି | ଫଳାଫଳ ଘୋଷଣା ଉପରେ ସଭିଙ୍କ ନଜର | କଡା ସୁରକ୍ଷା ଭିତରେ ରହିଛି ବାଲାଟ ବକ୍ସ | ଏହି ଜୋନ୍ ରେ ଆସନ୍ତା ୨୮ ତାରିଖରେ ହେବ ଭୋଟ ଗଣତି | ଷ୍ଟ୍ରଙ୍ଗରୁମ୍ ସାମ୍ନାରେ ଡେରା ପକାଇଛନ୍ତି ପ୍ରାର୍ଥୀ ଏବଂ ତାଙ୍କ ସମର୍ଥକ | କିନ୍ତୁ ଭୋଟ୍ ରେ ବ୍ୟବହୃତ ବାଲାଟ ପେପର ବାହାରେ ପଡିଥିବା ଦେଖିବାକୁ ମିଳିଛି | ଷ୍ଟ୍ରଙ୍ଗରୁମ୍ ଭେଦକରି ବାଲାଟ ବକ୍ସ ମଧ୍ୟରୁ ବ୍ୟବହୃତ ବାଲାଟ ପେପର କିପରି ବାହାରକୁ ଆସିଲା ତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ | ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲାରେ |
କେନ୍ଦ୍ରାପଡା ସ୍ବୟଂଶାସିତ ମହାବିଦ୍ୟାଳୟ ପରିସରରେ ଆଜି ସକାଳେ ଭୋଟ୍ ରେ ବ୍ୟବହୃତ ବାଲାଟ ପେପର ଇତସ୍ତତ ହୋଇ ପଡିଥିବା ଦେଖିବାକୁ ମିଳିଥିଲା | ବାଲାଟ ପେପରଗୁଡିକ କପାଳେଶ୍ବର ଓ କଂସାର ପଞ୍ଚାୟତର ଭୋଟରେ ବ୍ୟବହାର ହୋଇଥିଲା । ସେଗୁଡିକୁ କେନ୍ଦ୍ରାପଡା ସ୍ବୟଂଶାସିତ ମହାବିଦ୍ୟାଳୟରେ ଷ୍ଟ୍ରଙ୍ଗରୁମ୍ କରାଯାଇ ରଖାଯାଇଛି । ଷ୍ଟ୍ରଙ୍ଗରୁମ୍ ମଧ୍ୟରେ ଭୋଟ୍ ବାକ୍ସ ସବୁକୁ ସୁରକ୍ଷିତ ଭାବେ ରଖାଯାଇଛି । ତେବେ ଷ୍ଟ୍ରଙ୍ଗରୁମ୍ ଭେଦକରି ବାଲାଟ ବକ୍ସ ମଧ୍ୟରୁ ବ୍ୟବହୃତ ବାଲାଟ ପେପର କିପରି ବାହାରକୁ ଆସିଲା ତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି | ଏହି ବାଲାଟ ପେପର ୮ ନମ୍ବର ଜିଲ୍ଲା ପରିଷଦ ଜୋନ୍ ର ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ, ସମିତି ସଭ୍ୟ ଓ ଓ୍ବାର୍ଡ ସଭ୍ୟମାନଙ୍କ ବାଲାଟ ପେପର ବୋଲି ଜଣାପଡୁଛି । କେନ୍ଦ୍ରାପଡା ଉପଜିଲ୍ଲାପାଳ ଏବଂ ବିଡିଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି | ଏହା ନକଲି ବାଲାଟ୍ ପେପର ବୋଲି ଉପଜିଲ୍ଲାପାଳ କହିଛନ୍ତି | ତେବେ ଭୋଟ ଗଣତି ଆସନ୍ତା ୨୮ ତାରିଖରେ ହେବ ବୋଲି ଜଣାଯାଇଛି |