ଋଷ-ୟୁକ୍ରେନ ମଧ୍ୟରେ ଚାଲିଛି ଘମାଘୋଟ ଲଢେଇ । ୟୁକ୍ରେନରେ ଭୟଭୀତ ଅବସ୍ଥାରେ ଅଛନ୍ତି ଭାରତୀୟ ଛାତ୍ରଛାତ୍ରୀ। ସେଠାରେ ଫସି ରହିଥିବା ଓଡ଼ିଆଙ୍କୁ ଉଦ୍ଧାର ପାଇଁ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଆଜି ଫୋନରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଛାତ୍ରଛାତ୍ରୀ ଓ ସେଠାରେ ଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଗୃହମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ନବୀନ ପଟ୍ଟନାୟକ । ଗୃହମନ୍ତ୍ରୀ ଅମିତ ଶାହା ମୁଖ୍ୟମନ୍ତ୍ରୀଙ୍କୁ ଦେଇଛନ୍ତି ଆଶ୍ୱାସନା । ସେ କହିଛନ୍ତି କି ଭାରତ ସରକାର ୟୁକ୍ରେନ ସରକାରଙ୍କ ସହ ଯୋଗଯୋଗରେ ରହିଛନ୍ତି | ଖୁବଶୀଘ୍ର ୟୁକ୍ରେନରୁ ଛାତ୍ର ଓ ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ କାର୍ଯ୍ୟ କରୁଛନ୍ତି ସରକାର ।
ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଛି ଯୁଦ୍ଧ । ଯୁଦ୍ଧକୁ ନେଇ ପୂରା ବିଶ୍ୱରେ ଏବେ ଭୟର ବାତାବରଣ ଖେଳିଯାଇଛି । କାରଣ ୟୁକ୍ରେନରେ ଅନେକ ଦେଶର ନାଗରିକ ରହିଛନ୍ତି । ଯେଉଁମାନଙ୍କୁ ଏଯାବତ ଉଦ୍ଧାର କରାଯାଇନାହିଁ । ଏସବୁ ଭିତରେ ୟୁକ୍ରେନରେ ୧୬ ହଜାର ଭାରତୀୟ ନାଗରିକ ଫସି ରହିଛନ୍ତି । ଯେଉଁମାନଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ସହ ଦୂତାବାସ ସହ ଯୋଗାଯୋଗରେ ରହିବାକୁ କୁହାଯାଇଛି ।