ଋଷିଆ- ୟୁକ୍ରେନ ମଧ୍ୟରେ ଚାଲିଛି ଘମାଘୋଟ ଲଢ଼େଇ । ଏହାରି ଭିତରେ ଭାରତର ସହାୟତା ଲୋଡିଛି ୟୁକ୍ରେନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ମାମଲାରେ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି ଭାରତରେ ଅବସ୍ଥାପିତ ୟୁକ୍ରେନ ରାଷ୍ଟ୍ରଦୂତ । ୟୁକ୍ରେନର ରାଷ୍ଟ୍ରଦୂତ ଇଗୋର ପୋଲଖା କହିଛନ୍ତି ଯେ, ୟୁକ୍ରେନ ଏବଂ ଋଷ ମଧ୍ୟରେ ଚାଲିଥିବା ତିକ୍ତତା ମଧ୍ୟରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିବେଦନ କରି ସେ କହିଛନ୍ତି, ମୋଦି ତୁରନ୍ତ ୟୁକ୍ରେନ ରାଷ୍ଟ୍ରପତି ବ୍ଳଡ଼ିମିର ଜେଲେନସ୍କି ଏବଂ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା କରିବା ଉଚିତ। କେବଳ ଭାରତ ଚାହିଁଲେ ଏହାର ସମାଧାନ ହୋଇପାରିବ ବୋଲି ସେ କହିଛନ୍ତି |
ଯଦିଓ ୟୁକ୍ରେନର ରାଷ୍ଟ୍ରଦୂତ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାହାଯ୍ୟ ମାଗିଛନ୍ତି, କିନ୍ତୁ ଏହି ପ୍ରସଙ୍ଗରେ ଭାରତର ନିରପେକ୍ଷ ଆଭିମୁଖ୍ୟ ରହିଛି। ଭାରତ କୌଣସି ପକ୍ଷ ପକ୍ଷରୁ କିଛି କହିନାହିଁ। ଏଥିସହ ପ୍ରଧାନମନ୍ତ୍ରୀ ମୋଦୀ ବର୍ତ୍ତମାନ ପର୍ଯ୍ୟନ୍ତ ଏ ସମ୍ପର୍କରେ କିଛି ବି ଟ୍ୱିଟ କରିନାହାଁନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନ ଆମେ ୟୁକ୍ରେନ ପ୍ରସଙ୍ଗରେ ନିରପେକ୍ଷ। ଏଥି ସହ ଶାନ୍ତି ବଜାୟ ରଖିବା ପାଇଁ ପ୍ରୟାସ ଜାରି ରଖିବା ଉଚିତ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ୟୁକ୍ରେନରେ ଫସିଥିବା ଭାରତୀୟଙ୍କ ପାଇଁ ଆଡଭାଇଜରି ଜାରି କରାଯାଇଛି । ୟୁକ୍ରେନ୍ ପରିସ୍ଥିତି ଚିନ୍ତାଜନକ ରହିଛି, ଯୁଦ୍ଧ ପରିସ୍ଥିତି ଲାଗି ରହିଛି । ଭାରତୀୟମାନଙ୍କୁ ଘରେ ରହିବାକୁ ଦୂତାବାସ ପକ୍ଷରୁ ପରାମର୍ଶ ଦିଆଯାଇଛି । ଯେଉଁଠି ଅଛ ସେଠି ସୁରକ୍ଷିତ ଓ ଶାନ୍ତ ଭାବେ ରୁହ ବୋଲି ପରାମର୍ଶ ଦିଆଯାଇଛି |