ୟୁକ୍ରେନ ସଙ୍କଟ ମଧ୍ୟରେ ଆମେରିକା ଏବଂ ଋଷ ବର୍ତ୍ତମାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଗୋଟିଏ ପଟେ ଋଷର ସେନା ଟ୍ରକ୍ ୟୁକ୍ରେନ ଅଭିମୁଖେ ଯାଉଥିବାର ଖବର ମିଳିଥିବା ବେଳେ ଅନ୍ୟ ପଟେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ସ୍ପଷ୍ଟ କରିଛନ୍ତି ଯେ, ସେ ନାଟୋ ବାଲଟିକ୍ ଦେଶଗୁଡିକୁ ସାହାଯ୍ୟ ପାଇଁ ସୈନ୍ୟ ଓ ଯୁଦ୍ଧାସ୍ତ୍ର ପଠାଉଛନ୍ତି | ଋଷ ବିରୋଧରେ କଡ଼ା ଅର୍ଥନୈତିକ କଟକଣା ଲଗାଇଛି ଆମେରିକା | ପାଶ୍ଚାତ୍ୟ ରାଷ୍ଟ୍ର ସହ ଆର୍ଥିକ ଓ ବାଣିଜ୍ୟକ ସମ୍ପର୍କ ଉପରେ କଟକଣା ଜାରି କରିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ରାଷ୍ଟ୍ର ଉଦ୍ଦେଶ୍ୟରେ ଉଦବୋଧନ ଦେଇ ବାଇଡେନ କହିଛନ୍ତି- ୟୁକ୍ରେନ ପ୍ରସଙ୍ଗରେ ଋଷ ବିଶ୍ୱ ସମୁଦାୟର ନିଷ୍ପତ୍ତିକୁ ଅବମାନନା କରିଥିବାରୁ ଏହି କଟକଣା ଜାରି କରାଯାଇଛି । ଆମେରିକା ଏବଂ ବ୍ରିଟେନ ପରି ଋଷ ଉପରେ ଜାପାନ ମଧ୍ୟ କଟକଣା ଲଗାଇଛି।
ନ୍ୟୁଜ୍ ଏଜେନ୍ସି ରଏଟର୍ସ ଅନୁଯାୟୀ, ରୁଷ ସେନାର 100 ରୁ ଅଧିକ ଟ୍ରକର ଏକ କନଭେନ ୟୁକ୍ରେନ ସୀମା ଆଡକୁ ଯାଉଥିବା ଦେଖାଯାଇଛି। ବେଲଗୋରୋଡ ଅଞ୍ଚଳରେ ଋଷର ସେନା କନଭେନ ୟୁକ୍ରେନ ସୀମା ଆଡକୁ ଯାଉଥିବା ଦେଖାଯାଉଛି। ଋଷର ସୈନ୍ୟବାହିନୀର ୟୁକ୍ରେନ ସୀମା ଆଡକୁ ଗତି କରୁଥିବା ଖବର ଏପରି ସମୟରେ ଆସିଛି ଯେତେବେଳେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିଜେ ସ୍ପଷ୍ଟ କରିଛନ୍ତି ଯେ ୟୁକ୍ରେନକୁ ସୈନ୍ୟ ପଠାଇବା ନେଇ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ।
ଅନ୍ୟପକ୍ଷରେ ଋଷର ସେନାର ଅଗ୍ରଗତିର ଖବର ପରେ ଆମେରିକାର ବିବୃତ୍ତି ମଧ୍ୟ ସାମ୍ନାକୁ ଆସିଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ ନାଟୋ ବାଲଟିକ ସହଯୋଗୀ ଦେଶର ସୁରକ୍ଷା ପାଇଁ ଆମେରିକା ସୈନ୍ୟ ପଠାଉଛି। ଋଷର ପୂର୍ବ ସେକ୍ଟରରେ ଅଧିକ ସୈନ୍ୟବାହିନୀ ଥିବାରୁ ଏହା କରାଯାଉଛି ବୋଲି କୁହାଯାଉଛି ।