ସାମ୍ବାଦିକମାନେ ଏବେ ଅସୁରକ୍ଷିତ | ସେମାନଙ୍କ ଜୀବନ ପ୍ରତି ରହିଛି ବିପଦ | ଖବର ସଂଗ୍ରହ ବେଳେ ଆକ୍ରମଣର ଶିକାର ହେଉଛନ୍ତି ସାମ୍ବାଦିକ | ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଂଝାରପୁର ବ୍ଳକରେ | ଖବର ସଂଗ୍ରହ କରିବାକୁ ଯାଇଥିବା 3 ଜଣ ସାମ୍ବାଦିକଙ୍କୁ ଦୁର୍ବୃତ୍ତ ମଣାନ୍ତକ ଆକ୍ରମଣ ଘଟଣାର ଦୃଢ ନିନ୍ଦା କରାଯାଇଛି | ସ୍ୱର ଉତ୍ତୋଳନ କରିଛନ୍ତି ସମଗ୍ର ରାଜ୍ୟର ସାମ୍ବାଦିକ | ଏହି ପରିପ୍ରେକ୍ଷୀରେ କେନ୍ଦ୍ରାପଡା ସାମ୍ବାଦିକଙ୍କ ପକ୍ଷରୁ ରାଜ୍ୟ ନିର୍ବାଚନ କମିଶନରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଆକ୍ରମଣରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ସହ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଦାବି ହୋଇଛି।
ସେହିପରି ନିର୍ବାଚନ ସମୟରେ ସାମ୍ବାଦିକମାନଙ୍କୁ କାର୍ଯ୍ୟ କ୍ଷେତ୍ରରେ ସୁରକ୍ଷା ଯୋଗାଇ ଦେବା ଏବଂ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ ପାଇଁ ଦାବି କରିଛନ୍ତି ସାମ୍ବାଦିକ। ରାଜ୍ୟ ନିର୍ବାଚନ କମିଶନରଙ୍କ ଉଦେଶ୍ୟରେ କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲାପାଳ ଦୁର୍ଗା ପ୍ରସାଦ ମହାରଣାଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ସାମ୍ବାଦିକମାନେ। ସେହିଭଳି ଏହି ଘଟଣାକୁ ନେଇ ଯାଜପୁର ଜିଲ୍ଲା ସୁକିନ୍ଦା ପ୍ରେସ ଫୋରମ ସାମ୍ବାଦିକ ସଂଘ ପକ୍ଷରୁ ଦୃଢ ନିନ୍ଦା କରାଯାଇଛି | ଯାଜପୁର ଜିଲ୍ଲା ବିଂଝାରପୁର ବ୍ଳକରେ ଗତକାଲି ନିର୍ବାଚନ ଚାଲିଥିବାବେଳେ ଖବର ସଂଗ୍ରହ କରିବାକୁ ଯାଇଥିଲେ 3 ଜଣ ସାମ୍ବାଦିକ | ସେହି ସମୟରେ କେତେକ ରାଜନୈତିକ କର୍ମୀ ବୁଥ ଜବରଦଖଲ କରିବା ସମୟରେ ସାମ୍ବାଦିକମାନେ ଭିଡିଓ ସୁଟ କରିଥିଲେ | ଏଥିରେ ଉତ୍ୟକ୍ତ ହୋଇ କେତେଜଣ ଲୋକ ସାମ୍ବାଦିକଙ୍କୁ ଆକ୍ରମଣ କରି ଲହୁଲୁହାଣ କରି ଦେଇଥିଲେ | ସାମ୍ବାଦିକଙ୍କ ଗାଡିକୁ ମଧ୍ୟ ଭଙ୍ଗାରୁଜା କରିଥିଲେ ।