କଥାରେ ଅଛି “ମାତୃଭୂମି ମାତୃଭାଷାରେ ମମତା ଯା ହୃଦେ ଜନମି ନାହିଁ, ତାକୁ ଯଦି ଜ୍ଞାନୀ ଗଣରେ ଗଣିବା ଅଜ୍ଞାନ ରହିବେ କାହିଁ”। ଅର୍ଥାତ ନିଜ ମାତୃ ଭାଷାକୁ ସମ୍ମାନ ଦେଇ ଜାଣିନଥିବା ବ୍ୟକ୍ତି ଠାରୁ ସଂସାରରେ କେହି ବଡ ମୂର୍ଖ ନାହିଁ। ବ୍ୟକ୍ତିକୁ ପରିବାର ପରିଚୟ ଦେଇଥାଏ ସତ ହେଲେ ମାତୃଭାଷା ସମାଜରେ ମଣିଷକୁ ଉଚ୍ଚସ୍ତରକୁ ନେବା ସହ ଦେଇଥାଏ ସମ୍ମାନ ଆଉ ସମୃଦ୍ଧି। ଆଜିକା ଦିନରେ ମାତୃଭାଷା ପ୍ରତି ଲୋକଙ୍କ ଆଦର କମି ଆସୁଥିବା ପରିଲିକ୍ଷିତ ହେଉଛି।
ଯାହାକୁ ନେଇ ସମ୍ମାନ ତଥା ବ୍ୟବହାରକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ଫେବୃଆରୀ ୨୧ ତାରିଖରେ ପାଳନ ହେଉଛି ବିଶ୍ୱ ମାତୃଭାଷା ଦିବସ। ୨୦୦୦ ମସିହା ଫେବୃଆରୀ ପରଠାରୁ ପ୍ରତିବର୍ଷ ଭାଷାଗତ ଓ ଚଳଣିଗତ ବିଭିନ୍ନତା ପ୍ରଚାର ନିମନ୍ତେ ପ୍ରତିବର୍ଷ ଫେବୃଆରୀ 21ତାରିଖ ବିଶ୍ବ ମାତୃଭାଷା ଦିବସ ରୂପେ ପାଳନ ହୋଇଆସୁଛି। ଇଉନେସ୍କୋ ଦ୍ୱାରା ୧୯୯୯ ମସିହା ନଭେମ୍ବର ୧୭ରେ ଆରମ୍ଭ ହୋଇଥିବା ବେଳେ ୨୦୦୮ ମସିହା ମିଳିତ ଜାତିସଂଘ ସାଧାରଣ ସଭାରେ ଏହା ଗୃହୀତ ହୋଇଥିଲା।
ସମୟରେ ଚକ ତଳେ ବିଶ୍ବରେ କେତେ ଭାଷା ଆଜି ବିଲୁପ୍ତ ହୋଇଯାଇଥିବା ବେଳେ ଅନେକ ଭାଷା ନିଜ ଅସ୍ତିତ୍ବ ବଞ୍ଚାଇବା ପାଇଁ ଏବେ ବି ସଂଘର୍ଷ କରୁଛନ୍ତି। ଇତିହାସ ସାକ୍ଷୀ ଅଛି ଯେଉଁ ଭାଷା ଯେତେ ଶକ୍ତିଶାଳୀ ସେ ଦେଶ ଉନ୍ନତି ପଥରେ ଆଗକୁ ଅଗ୍ରସର ହୋଇ ପାରିଛି। ଏଥିରୁ ଅନୁମେୟ କରାଯାଏ ଯେ ରାଷ୍ଟ୍ର ଗଠନ ଠାରୁ ଆରମ୍ଭ କରି, ରାଷ୍ଟ କଲ୍ୟାଣ ଏବଂ ରାଷ୍ଟ୍ରର ଉନ୍ନତି ଦିଗରେ ଭାଷାର ମୂଲ୍ୟ କେତେ ଗୁରୁତ୍ବପୂର୍ଣ୍ଣ।
ତେବେ ଆମ ମାତୃଭାଷାକୁ ଅନୁଶୀଳନ କଲେ ଆଜି ବି ସରକାରୀ ସ୍ତରରେ ଉଦାସୀନତା ଯୋଗୁ ଓଡିଆ ଭାଷା ଅବହେଳିତ ହୋଇ ରହିଥିବା ଭଳି ମନେ ହେଉଛି।
ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଛି ସତ, ହେଲେ ଆଜି ପର୍ଯ୍ୟନ୍ତ କୋର୍ଟ କଚେରୀ, ସରକାରୀ ଦପ୍ତରରେ ଓଡିଆ ଭାଷା ଉପଯୁକ୍ତ ସ୍ଥାନ ପାଇ ପାରିନାହିଁ। 2016 ମସିହାରୁ ସମସ୍ତ ସରକାରୀ ଅଫିସରେ ଓଡିଆ ଭାଷାରେ କାମ ହେବ ବୋଲି ସରକାର ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହା ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହୋଇପାରୁନାହିଁ। ଆଜ ବି ଅନେକ ସରକାରୀ ଅଫିସ, ଦୋକାନ ବଜାରରେ ଇଂରାଜି ଭାଷାର ଫଳକ ଝୁଲୁଥିବା ଦେଖିବାକୁ ମିଳୁଛି।
ସରକାରୀ ସ୍ତରରେ ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାର ପାଇଁ ଯୋଜନା କେବଳ ଯୋଜନାରେ ରହି ଯାଉଛି। ତେବେ ଆମ ଭାଷାକୁ ଆହୁରି ସଶକ୍ତ ମଜଭୁତ କରିବାକୁ ହେଲେ ଆଜିକା ଦିନରେ ସରକାରୀ ସ୍ତରରେ ଆନ୍ତରିକତା ଲୋଡା ଥିବା ବେଳେ ଜନସାଧାରଣଙ୍କୁ ମଧ୍ୟ ନିଜ ମାତୃଭାଷାକୁ ନେଇ ସଚେତନ ହେବାର ଆବଶ୍ୟକତା ରହିଛି।