ରାଉରକେଲା : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ ଗସ୍ତରେ ଯାଇ ୪ହଜାର ୯ଶହ ୧୫ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି । ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଦେଶର ସବୁଠାରୁ ବଡ ହକି ଷ୍ଟାଡିୟମର ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଛନ୍ତି । ଏହି ହକି ଷ୍ଟାଡିୟମଟି ବିର୍ସା ମୁଣ୍ଡାଙ୍କ ନାଁରେ ନାମିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ରାଉରକେଲାରେ ବିକାଶର ମୂଳଦୁଆ ପକାଇଥିଲେ ବିଜୁ ବାବୁ । ସୁନ୍ଦରଗଡ଼ ହେଉଛି ହକିର ଏନ୍ତୁଡ଼ିଶାଳ । ଏଠାକାର ଖେଳାଳି ଦେଶ ପାଇଁ ସୁନାମ ଆଣିଛନ୍ତି । ସୁନ୍ଦରଗଡ଼ର ମାଟି ଓ ପାଣି ସବୁଥିରେ ହକି ରହିଛି । ଓଡ଼ିଶା ହେଉଛି ଇଣ୍ଡିଆ ହକି ଟିମର ପ୍ରଯୋଜକ । ସୁନ୍ଦରଗଡ଼ର ବିକାଶରେ ରାଉରକେଲାର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଜନଜାତି ପିଲାଙ୍କ ପାଇଁ ଶିକ୍ଷା ବ୍ୟବସ୍ଥା ହୋଇଛି । ଏହି ଷ୍ଟାଡିୟମଟି ଦେଶର ସବୁଠାରୁ ବଡ଼ ହକି ଷ୍ଟାଡିୟମ ହେବ । ହୋ ଓ ମୁଣ୍ଡାରି ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସ୍ଥାନିତ ପାଇଁ ଉଦ୍ୟମ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦୦୦ ମସିହାରେ ରାଜ୍ୟର ଯୋଜନା ବଜେଟ ମାତ୍ର ୨୮୦୦ କୋଟି ଥିବାବେଳେ, ଆଜି କେବଳ ସୁନ୍ଦରଗଡ ଜିଲ୍ଲା ପାଇଁ ପାନଚ ହଜାର କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ କରାଯାଇଛି । ଏହାକୁ ମୁଖ୍ୟମନ୍ତ୍ରୀ ରୂପାନ୍ତରର ନମୂନା ତଥା ବିକାଶର ନମୂନା ଭାବରେ ବର୍ଣ୍ଣନା କରିବା ସହିତ ବିକାଶର ଏହି ଧାରାକୁ ଜାରି ରଖିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।