ପଞ୍ଚାୟତ ନିର୍ବାଚନ ବେଳେ ହିଂସାକୁ ନେଇ ଜୋର ଧରିଛି ରାଜନୀତି | ନିର୍ବାଚନୀ ହିଂସାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି | ମୁହାଁମୁହିଁ ହୋଇଛନ୍ତି ପ୍ରମୁଖ ତିନି ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ | ନିର୍ବାଚନ ଆରମ୍ଭରୁ ରାଜନୈତିକ ହିଂସାକୁ ଦୃଢ଼ ନିନ୍ଦା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟ୍ୱିଟ୍ କରି ସେ କହିଛନ୍ତି, ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରାକ୍ ନିର୍ବାଚନୀ ହିଂସା ଘଟିଛି। ଯାହା ଅତ୍ୟନ୍ତ ଚିନ୍ତାଜନକ ଓ ଦୁଃଖଦାୟକ। ରାଜ୍ୟ ନିର୍ବାଚନ କମିଶନ ଓ ଓଡ଼ିଶା ପ୍ରଶାସନ ଠିକ୍ ଭାବରେ ନିଜର କାର୍ଯ୍ୟ କରିବା ସହିତ ଲୋକଙ୍କୁ ନ୍ୟାୟ ପ୍ରଦାନ କରନ୍ତୁ | ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ ବୋଲି ସେ କହିଛନ୍ତି ।
ଅନ୍ୟପକ୍ଷେରେ ନିର୍ବାଚନୀ ହିଂସାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କାଉଣ୍ଟର କରିଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ଧର୍ମେନ୍ଦ୍ରଙ୍କ ଟ୍ୱିଟରର ଜବାବ ଦେଇ ପ୍ରଣବ କହିଛନ୍ତି, ବିଜେପି ରାଜ୍ୟର ପ୍ରମୁଖ ବିରୋଧୀ ଦଳ । କିନ୍ତୁ ନିର୍ବାଚନ ହାରିବା ଭୟରେ ନିର୍ବାଚନୀ ହିଂସା କରୁଛି ବିଜେପି ।
ସେହିଭଳି ବିଭିନ୍ନ ସ୍ଥାନରେ ହୋଇଥିବା ହିଂସା ଘଟଣାକୁ ନିନ୍ଦା କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ | ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହିଂସାରେ ଶେଷ ହୋଇଛି । ବହୁ ସ୍ଥାନରେ ବୁଥ ଜବରଦଖଲ, ହିଂସା, ନିର୍ମମ ଭାବେ ମାରପିଟ ହୋଇଥିବା ନଜରକୁ ଆସିଛି । ରାଜ୍ୟରେ ଅବାଧ ଓ ଶାନ୍ତିଶୃଙ୍ଖଳାରେ ନିର୍ବାଚନ ସମ୍ପନ୍ନ କରାଯିବ ବୋଲି ରାଜ୍ୟ ସରକାର ପୂର୍ବରୁ ଯେଉଁ ପ୍ରତିଶୃତି ଦେଇଥିଲେ , ତାହା ମିଛ ପ୍ରମାଣିତ ହୋଇଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।