ଆସନ୍ତା 20 ରେ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ହେବ ଭୋଟ ଗ୍ରହଣ । ମତଦାନ ପୂର୍ବରୁ ପଞ୍ଜାବରେ ଜୋର ଧରିଛି ରାଜନୀତି | ଅନ୍ୟପକ୍ଷରେ ପୂର୍ବତନ ଆମ୍ ଆଦମୀ ପାର୍ଟି ନେତା ତଥା କବି କୁମାର ବିଶ୍ୱାସ ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି। ସେ କେଜ୍ରିୱାଲଙ୍କୁ ପଞ୍ଜାବରେ ବିଚ୍ଛିନ୍ନତାବାଦୀଙ୍କ ସମର୍ଥକ ବୋଲି କହିଛନ୍ତି। “ଦିନେ ପଞ୍ଜାବର ମୁଖ୍ୟମନ୍ତ୍ରୀ ହେବି ନହେଲେ ଗୋଟେ ସ୍ୱତନ୍ତ୍ର ରାଷ୍ଟ୍ର ଖଲିସ୍ତାନର ପ୍ରଥମ ପ୍ରଧାନମନ୍ତ୍ରୀ ହେବି” ବୋଲି କେଜ୍ରିୱାଲ ତାଙ୍କୁ କହିଥିବା ସେ ଅଭିଯୋଗ କରିଛନ୍ତି ।
ସେ କହିଛନ୍ତି ଯେ, ‘ଅରବିନ୍ଦ କେଜ୍ରିୱାଲ ବୁଝିବା ଉଚିତ ଯେ ପଞ୍ଜାବ କେବଳ ଏକ ରାଜ୍ୟ ନୁହେଁ, ଏହା ପଞ୍ଜବବାସୀଙ୍କ ଭାବନା ସହିତ ଜଡିତ । ବିଚ୍ଛିନ୍ନତାବାଦୀ ଏବଂ ଖଲିସ୍ତାନୀ ସଂଗଠନ ସହ ଜଡିତ ଲୋକଙ୍କୁ ସମର୍ଥନ ନକରିବା ମୁଁ ପୂର୍ବରୁ ତାଙ୍କୁ କହିଥିଲି। କିନ୍ତୁ କେଜ୍ରିୱାଲ ମୋ କଥା ଶୁଣିନଥିଲେ । କେଜ୍ରିୱାଲଙ୍କ ଭାବନାରେ ବିଚ୍ଛିନ୍ନତାବାଦୀ ରହିଛି । କେମିତି କ୍ଷମତା ମିଳିବ ସେଥିପାଇଁ ସେ ଅହରହ ଚେଷ୍ଟିତ । ସେ କହିଛନ୍ତି ଯେ, କେଜ୍ରିୱାଲଙ୍କ ଚିନ୍ତାଧାରାରେ ଯେକୌଣସି ପ୍ରକାରେ ତାଙ୍କୁ କ୍ଷମତା ମିଳିବା ଦରକାର ।