ରାଉତ ଓ ସାମଲ ପରିବାର ଭିତରେ ଚାଲିଛି ପାରମ୍ପରିକ ନିର୍ବାଚନୀ ଲଢେଇ | ନିର୍ବାଚନରେ ଜିତିବା ନେଇ ଉଭୟ ପକ୍ଷର ସମର୍ଥକ ମଧ୍ୟରେ ଲାଗିଛି ବାଜି | ଏଭଳି ନିର୍ବାଚନୀ ଲଢେଇ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅଧୀନ ସୁରପ୍ରତାପପୁର ପଞ୍ଚାୟତରେ | ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହି ପଞ୍ଚାୟତରେ ରାଉତ ଓ ସାମଲ ପରିବାର ଭିତରେ ଚାଲିଛି ଛକାପଞ୍ଝା | ରାଉତ ପରିବାର ଶାସକ ବିଜୁ ଜନତା ଦଳ ସମର୍ଥିତ ହୋଇଥିବା ବେଳେ ସାମଲ ପରିବାର ବିଜେପି ସମର୍ଥିତ |
ପଞ୍ଚାୟତର ସରପଞ୍ଚ ଆସନ ମହିଳା ପ୍ରାର୍ଥୀ ପାଇଁ ସଂରକ୍ଷିତ ଥିବା ବେଳେ ପୁଷ୍ପଲତା ରାଉତ ଖୋଲାବହି ଓ ପୂର୍ବତନ ସରପଞ୍ଚ ସୋନି ସାମଲ ମାଛ ଚିହ୍ନରେ ନିର୍ବାଚନ ଲଢ଼ୁଛନ୍ତି | ସେହିଭଳି ସମିତି ସଭ୍ୟ ଆସନ ମଧ୍ୟ ମହିଳା ପ୍ରାର୍ଥୀ ପାଇଁ ସଂରକ୍ଷିତ ରହିଛି | ନିର୍ବାଚନରେ ପୁଷ୍ପାଞ୍ଜଳୀ ରାଉତ କେଟିଲ, ପ୍ରଣତି ସାମଲ ସ୍ଟୁଲ ଓ ବନ୍ଦନା ପରିଡା ବସ ଚିହ୍ନରେ ପ୍ରତିଦ୍ବନ୍ଦିତା କରୁଛନ୍ତି | ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ପୁଷ୍ପଲତା ଓ ସମିତି ସଭ୍ୟ ପ୍ରାର୍ଥୀ ପୁଷ୍ପାଞ୍ଜଳୀ ନବୀନ ସରକାରଙ୍କ ଲୋକାଭିମୁଖୀ ଓ ଜନହିତକର ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇ ପଞ୍ଚାୟତର ବିକାଶ ନିମନ୍ତେ ଭୋଟ ଭିକ୍ଷା କରୁଛନ୍ତି | ସେହିଭଳି ସାମଲ ପରିବାର ମଧ୍ୟ କେନ୍ଦ୍ର ସରକାରଙ୍କ ବିଭିର୍ନ ଯୋଜନା ସମ୍ପର୍କରେ ଲୋକଙ୍କୁ ବୁଝାଇ ଭୋଟ ପାଇଁ ନିବେଦନ କରୁଥିବା ଦେଖିବାକୁ ମିଳିଛି | ଫଳରେ ପଞ୍ଚାୟତରେ ଦ୍ଵିମୁଖୀ ଲଢେଇ ତୀବ୍ର ହେବାରେ ଲାଗିଛି | ବ୍ଲକର 18 ଟି ପଞ୍ଚାୟତ ମଧ୍ୟରୁ ସୁରପ୍ରତାପପୁର ପଞ୍ଚାୟତରେ ପ୍ରାର୍ଥୀଙ୍କ ମଧ୍ୟରେ କଡାକଡି ଟକ୍କର ଚାଲିଥିବା ଦେଖିବାକୁ ମିଳିଛି |