ପୁଣି ଜେଲ୍ ଯିବେ ଆର୍ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାବଦ। ଆଜି ରାଞ୍ଚି ସ୍ଥିତ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଲାଲୁ। ୯୫୦ କୋଟି ଟଙ୍କାର ବହୁ ଚର୍ଚ୍ଚିତ ଗୋଖାଦ୍ୟ ଦୁର୍ନୀତି ସହ ଜଡିତ ଦୋରନ୍ଦା ଟ୍ରେଜେରୀରୁ ୧୩୫ କୋଟି ଟଙ୍କା ବେଆଇନ ଭାବେ ଉଠାଣ ମାମଲାରେ ସେ ପୁଣି ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତେବେ ଲାଲୁଙ୍କୁ କେଉଁ ଦଣ୍ଡ ମିଳିବ ତାହା ଜଣା ପଡ଼ିନାହିଁ । କେତେ ଦିନ ପାଇଁ ସେ ପୁଣି ଜେଲ୍ ଯିବେ ନା ତାଙ୍କୁ ବେଲ୍ ମିଳିବ, ସେ ନେଇ କିଛି ଶୁଣାଣୀ ହୋଇନି । ଆସନ୍ତା ୨୧ ତାରିଖରେ କୋର୍ଟ ଦଣ୍ଡାଦେଶ ଶୁଣାଇବେ। ଏବେ ଲାଲୁ ଯାଦବ ଜାମିନରେ ଅଛନ୍ତି।
ଲାଲୁ ପ୍ରସାଦ ଯାଦବଙ୍କ ସମେତ ୭୫ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୪ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି । ୩୮ଜଣ ଦୋଷୀଙ୍କୁ ୩ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିବା ବେଳେ ବାକି ୩୭ ଜଣଙ୍କ ଦଣ୍ଡାଦେଶ ଆସନ୍ତା ୨୧ରେ କୋର୍ଟ ନିଷ୍ପତ୍ତି ନେବେ |
ସୂଚନା ମୁତାବକ, ଏହା ଗୋଖାଦ୍ୟ ଘୋଟାଲାର ପଞ୍ଚମ ମାମଲାର ଶୁଣାଣି । ଏହା ପୂର୍ବରୁ ଅନ୍ୟ ୪ଟି ମାମଲାର ଶୁଣାଣି ହୋଇ ଲାଲୁଙ୍କୁ ଦଣ୍ଡାଦେଶ ହୋଇସାରିଛି । ଲାଲୁ ଜେଲରେ କିଛି ଦିନ କଟାଇବା ପରେ ଅସୁସ୍ଥତା କାରଣରୁ ଜାମିନ ପାଇ ଘରେ ରହୁଥିଲେ । ଏହି ଘଟଣାରେ ମୋଟ ୧୭୦ଜଣଙ୍କ ନାମରେ ମାମଲା ଦାଏର ହୋଇଥିଲା । ସେମାନଙ୍କ ମଧ୍ୟରୁ ୫୫ ଜଣଙ୍କର ମୃତ୍ୟୁ ହୋଇସାରିଲାଣି |