ଦେଶରେ ପୁଣି ଥରେ ବ୍ୟାଙ୍କ ଠକେଇ ମାମଲା ସାମ୍ନାକୁ ଆସିଛି। ୨୨ ହଜାର ୮୪୨ କୋଟି ଟଙ୍କା ହୋଇଛି ଠକେଇ | ଏହାକୁ ଦେଶର ସବୁଠାରୁ ବଡ ବ୍ୟାଙ୍କିଂ ଠକେଇ ବୋଲି ମଧ୍ୟ କୁହାଯାଉଛି। ଏବିଜି ସିପିୟାର୍ଡ ଲିମିଟେଡ ନାଁରେ ଏହି ଠକେଇ ଅଭିଯୋଗ ହୋଇଛି।ଦେଶର ସର୍ବବୃହତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ସିବିଆଇରେ ଅଭିଯୋଗ କରିଛି। ଏହାକୁ ଆଧାର କରି ସିବିଆଇ ୭ ଫେବୃଆରୀ ୨୦୨୨ ରେ ଏଫଆଇଆର ରୁଜୁ କରିଛି | ଏହି ମାମଲାରେ, ସିବିଆଇ ଏବିଜି ସିପିୟାର୍ଡ ଲିମିଟେଡର ଚେୟାରମ୍ୟାନ୍ ଋଷି କମଲେଶ ଅଗ୍ରୱାଲ, ପରିଚାଳନା ନିର୍ଦ୍ଦେଶକ ସନ୍ଥାନ ମୁଥାସ୍ୱାମୀ ଏବଂ ତିନିଜଣ ନିର୍ଦ୍ଦେଶକଙ୍କୁ ଗିରଫ କରିଛି |
ତେବେ ଆସନ୍ତୁ ଜାଣିବା ଏହି ଠକେଇର ସମ୍ପୂର୍ଣ କାହାଣୀ କ’ଣ ?
ଜାନୁଆରୀ ୨୦୧୯ ରେ ଫୋରେନସିକ୍ ଅଡିଟ୍ ରିପୋର୍ଟ ଉପରେ ଆଲୋଚନା କରାଯାଇଥିଲା | ଏବିଜି ସିପିୟାର୍ଡକୁ ଋଣ ପ୍ରଦାନ କରିଥିବା ସମସ୍ତ ବ୍ୟାଙ୍କଗୁଡ଼ିକ ଏଥିରେ ସାମିଲ ଥିଲେ। ଏହି ବୈଠକରେ ଏହାକୁ ସବୁଠାରୁ ବଡ ବ୍ୟାଙ୍କ ଠକେଇ ବୋଲି କୁହାଯାଇଥିଲା।ଏହି ବୈଠକରେ ଜଣାଯାଇଥିଲା କି, ଏପ୍ରିଲ୍ ୨୦୧୨ ରୁ ଜୁଲାଇ ୨୦୧୭ ମଧ୍ୟରେ ୨୮ ବିଭିନ୍ନ ବ୍ୟାଙ୍କରୁ ବ୍ୟବସାୟ ନାମରେ ଏବିଜି ସିପିୟାର୍ଡ ୨୨, ୮୪୨ କୋଟି ଟଙ୍କା ଋଣ ନେଇଛି। କମ୍ପାନୀ ଋଣ ରାଶିର ଅପବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏବିଜି ସିପିୟାର୍ଡ ବ୍ୟବସାୟ ନାମରେ ନେଇଥିବା ଋଣ ଟଙ୍କାରେ ସମ୍ପତ୍ତି କିଣି ଏହାକୁ ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହାର କରିଥିଲା | ୮ ନଭେମ୍ବର ୨୦୧୯ ରେ, ଏସବିଆଇ ପ୍ରଥମ ଥର ପାଇଁ ସିବିଆଇରେ ଅଭିଯୋଗ କରିଥିଲା। ୧୨ ମାର୍ଚ୍ଚ ୨୦୨୦ ରେ, ସିବିଆଇ କିଛି ପ୍ରସଙ୍ଗରେ ସ୍ପଷ୍ଟୀକରଣ ମାଗିଥିଲେ । ୨୫ ଅଗଷ୍ଟ ୨୦୨୦ ରେ, ଏସବିଆଇ ପୁନଃ ସିବିଆଇରେ ଅଭିଯୋଗ କରିଥିଲା | ଏସବିଆଇ ପକ୍ଷରୁ ଅଭିଯୋଗ ପାଇବାର ପ୍ରାୟ ତିନି ବର୍ଷ ପରେ ସିବିଆଇ ମାମଲା ରୁଜୁ କରିଥିଲା। ୭ ଫେବୃଆରୀ ୨୦୨୨ ରେ ସିବିଆଇ ଏହି ମାମଲାରେ ଏଫଆଇଆର ରୁଜୁ କରିଥିଲା |
କେଉଁ ବ୍ୟାଙ୍କରୁ କେତେ ଋଣ ଅଛି ?
ଏବିଜି ସିପିୟାର୍ଡ ଲିମିଟେଡ୍ ପ୍ରାୟ ୨୩ ହଜାର କୋଟି ଟଙ୍କା ୨୮ ଟି ବ୍ୟାଙ୍କକୁ ଠକିଥିବା ଅଭିଯୋଗ ହୋଇଛି। ଏଥିରୁ ୭,୦୦୦ ୮୯ କୋଟି ଆଇସିଆଇସିଆଇ ବ୍ୟାଙ୍କରୁ , ୩ ହଜାର ୬୩୪ କୋଟି ଆଇଡିବିଆଇ , ୨ ହଜାର ୯୨୫ କୋଟି ଏସବିଆଇ, ୧ ହଜାର ୬୧୪ କୋଟି ବ୍ୟାଙ୍କ ଅଫ୍ ବରୋଦା, ୧ ହଜାର ୨୪୪ କୋଟି ପିଏନବି ଏବଂ ୧ ହଜାର ୨୨୮ କୋଟି ହେଉଛି ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ଋଣ ବାକି ପଡିଛି ଜ୍ଝ ଏହା କେବଳ ଏହି ୬ ଟି ବ୍ୟାଙ୍କରେ ୧୭ ହଜାର ୭୩୪ କୋଟିର ବକେୟା ପରିମାଣ ଅଛି | ଏତଦ୍ ବ୍ୟତୀତ, ଆହୁରି ୨୨ ଟି ବ୍ୟାଙ୍କରେ ୫ ହଜାର ୧୦୮ କୋଟି ଟଙ୍କା ବକେୟା ରହିଛି |
ତେବେ ଏହାକୁ ସବୁଠାରୁ ବଡ ଠକେଇ ବୋଲି କାହିଁକି କୁହାଯାଏ?
ଏବିଜି ସିପିୟାର୍ଡ ଦେଶର ସବୁଠୁ ବଡ ବ୍ୟାଙ୍କ ଠକେଇ ବୋଲି କୁହାଯାଉଛି। ଏଥିରେ ୨୮ ଟି ବ୍ୟାଙ୍କରୁ ୨୨ ହଜାର ୮୪୨ କୋଟି ଟଙ୍କା ଠକେଇ ଅଭିଯୋଗ ହୋଇଛି। କାରଣ ଜାନୁଆରୀ ୨୦୧୮ ରେ ନୀରବ ମୋଦୀଙ୍କ ମାମଲା ସାମ୍ନାକୁ ଆସିଥିଲା। ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ରୁ ସେ ୧୩ ହଜାର ୫୭୦ କୋଟି ଟଙ୍କା ଠକେଇ ମାମଲା ରୁଜୁ କରାଯାଇଥିଲା। ଜୁଲାଇ ୨୦୧୫ ରେ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ଠକେଇ ମାମଲା ସାମ୍ନାକୁ ଆସିଥିଲା। ୧୭ ଟି ବ୍ୟାଙ୍କରୁ ୯ ହଜାର କୋଟି ଟଙ୍କା ଏହି ଘୋଟାଲା ହୋଇଥିଲା । କିନ୍ତୁ ଏବିଜି ସିପିୟାର୍ଡ ୨୮ ଟି ବ୍ୟାଙ୍କରୁ ୨୨ ହଜାର ୮୪୨କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି।