ଦରିଦ୍ର ସୀମାରେଖା ତଳେ ରହିବା ପରିବାରଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ଯୋଜନାରେ ସରକାର ଯୋଗାଇ ଦେଉଛନ୍ତି ଘର । ଏହି ଯୋଜନା ପ୍ରକୃତ ଗରିବ ବାସହରାଙ୍କୁ ଚିହ୍ନଟ କରି ପ୍ରଧାନମନ୍ତ୍ରୀ ଆବାସ ହେଉ କି ବିଜୁ ପକ୍କାଘର ଯୋଗାଇ ଦେବା ନିମନ୍ତେ ରାଜ୍ୟ ସରକାରଙ୍କ ବ୍ୟବସ୍ଥା ରହିଛି। ତେବେ ନେତା ଓ ପ୍ରଶାସନ ଅଧିକାରୀଙ୍କ ଅବହେଳା ଯୋଗୁଁ ପ୍ରକୃତ ଗରିବ ଲୋକେ ଏବେ ବି ଏହି ଯୋଜନାରୁ ବଞ୍ଚିତ ରହୁଥିବା ଦେଖାଯାଉଛି। ଏପରିକି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ରାଜନେତା ଏବଂ ସରକାରୀ ବାବୁଙ୍କୁ ହାତଗୁଞ୍ଜା ଦେଲା ପରେ ମଧ୍ୟ ହିତାଧିକାରୀମାନେ ଆବାସ ନ ପାଇ ବ୍ଲକ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ଥକି ଯାଉଛନ୍ତି | ସେପଟେ ରାଜନେତା ସରକାରୀ ବାବୁଙ୍କୁ ହାତଗୁଞ୍ଜା ଦେଲେ ଏସଇସିସି ତାଲିକାରେ ନାଁ ରହୁଛି। ନଚେତ ହାତଗୁଞ୍ଜା ନ ମିଳିଲେ ବିଭିନ୍ନ ଆଳରେ ଦେଖାଇ ହିତାଧିକାରୀଙ୍କ ନାଁଁ କାଟି ଦେଇଥାନ୍ତି ବୋଲି ଅଭିଯୋଗ ହେଉଛି। ଏମିତି ଏକ ଲାଞ୍ଚ ନେବା ଘଟଣା ସମ୍ପର୍କରେ ଏନଏନଏସ ଓଡ଼ିଆ ନିକଟରେ ଅଭିଯୋଗ ଆସିଛି।
ମାଲକାନଗିରି ଜିଲ୍ଲାର ଜଣେ ସରପଞ୍ଚ ବିଜୁ ପକ୍କାଘର ଯୋଗାଇ ଦେବା ପାଇଁ ଜଣେ ଗରିବ ଲୋକଠାରୁ ୨ ହଜାର ଟଙ୍କା ହାତଗୁଞ୍ଜା ନେବା ଘଟଣା ସମ୍ପର୍କରେ ଅଭିଯୋଗ ଆସିବା ପରେ ଏନଏନଏସ ଓଡିଆର ପ୍ରତିନିଧି ନିରଞ୍ଜନ ମଲ୍ଲ ସେହି ହିତାଧିକାରୀଙ୍କ ପାଖରେ ପହଁଞ୍ଚିଥିଲେ। ସେଠାରେ ପହଁଞ୍ଚି ଯାହା ଦେଖିଲୁ ଏବଂ ଶୁଣିଲୁ ତାହା ଆପଣଙ୍କ ସମ୍ମୁଖରେ ରଖୁଛୁ। ତେବେ ଚାଲନ୍ତୁ ଯିବା ଏବେ ଖବର ଭିତରକୁ ।
ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସୋମନାଥପୁର ପଞ୍ଚାୟତ ଅନ୍ତର୍ଗତ ମହେଶ୍ବରପୁର ଗାଁର ବିଶନାଥ ଦୋରାଙ୍କର ପତ୍ନୀ ଏବଂ ପୁଅକୁ ନେଇ ସଂସାର।ଘର କହିଲେ ଗୋଟିଏ ଅଧା ଭୁଷୁଡି ପଡିଥିବା ଚାଳଘର। ପରିବାର ଲୋକଙ୍କର ଚାଳ ଫାଙ୍କରୁ ତାରା ଦେଖିଲେ ରାତି ଏବଂ ସୂର୍ଯ୍ୟ ଉଇଁଲେ ସକାଳ ହୁଏ। ବାଉଁଶ ଢିରା ଦିଆଯାଇଥିବା ଘର କେତେବେଳେ ଶୋଇପଡିବ ତାହା କହିବା ଅସମ୍ଭବ। ସେହି ଭଙ୍ଗା ଘରେ ଏବେ ରହୁଛନ୍ତି ମାଆ ସୁରେଖା ଦୋରା ଓ ତାଙ୍କ ପୁଅ। ସୋମନାଥପୁର ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ବିଶନାଥ ଦୋରା ବିଜୁ ପକ୍କାଘର ପାଇଁ ଆବେଦନ କରିଥିଲେ। ପକ୍କାଘର ସ୍ବପ୍ନ ଦେଖି ଦେଖି ଆଖି ବୁଜିଦେଲେ ବିଶନାଥ ଦୋରା। ମୃତ୍ୟୁ ପୂର୍ବରୁ ଅନେକ ଥର ସରପଞ୍ଚ ବାବୁଙ୍କୁ ସେ ପକ୍କାଘର କେବେ ହେବ ପଚାରିଥିଲେ। ସରପଞ୍ଚ ବାବୁ ସବୁବେଳେ ହେଇଯିବ ବୋଲି ଉତ୍ତର ଦେଉଥିଲେ। ଦିନେ ସରପଞ୍ଚ ବାବୁ ବିଶନାଥ ଦୋରାଙ୍କ ଘରକୁ ଯାଇଥିଲେ।ବିଶନାଶ ସରପଞ୍ଚଙ୍କୁ ୨ ହଜାର ଟଙ୍କା ଦେଇଥିଲେ ବୋଲି ତାଙ୍କ ପତ୍ନୀ ସୁରେଖା ଏବେ ଅଭିଯୋଗ କରିଛନ୍ତି।ସ୍ବାମୀ ବିଶନାଥ ଦୋରାଙ୍କ ମୃତ୍ୟୁକୁ ପାଖାପାଖି ୨/୩ ବର୍ଷ ବିତିଯାଇଛି। ୟା ଭିତରେ ସୁରେଖା ମଧ୍ୟ ଅନେକ ଥର ପଞ୍ଚାୟତ କାର୍ଯ୍ୟାଳୟ ଏବଂ ବ୍ଲକକୁ ଯାଇ ବୁଝୁଥିଲେ ହେଲେ କୌଣସି ସୁଫଳ ମିଳି ନଥିଲା। ବିଜୁ ପକ୍କାଘର ପାଇଁ ୭/୮ ଥର ଆବେଦନ କରିବା ଏବଂ ହାତଗୁଞ୍ଜା ଦେବା ପରେ କିଛି କାର୍ଯ୍ୟ ନ ହେବାରୁ ଶେଷରେ ସୁରେଖା ଏନଏନଏସ ଓଡ଼ିଆର ପ୍ରତିନିଧିଙ୍କୁ ଡାକି ନିଜର ଅଭିଯୋଗ ଜଣାଇଥିଲେ। ଏ ସମ୍ପର୍କରେ ତତ୍କାଳୀନ ସରପଞ୍ଚଙ୍କୁ ଯୋଗାଯୋଗ କରିଥିଲୁ ହେଲେ ନିର୍ବାଚନ ବାତାବରଣ ପାଇଁ ତାଙ୍କର ଫୋନ ବନ୍ଦ ଥିଲା। ତେବେ ଉକ୍ତ ଅଞ୍ଚଳରେ ଏହିଭଳି ବିଜୁ ପକ୍କାଘର ପାଇଁ ଟଙ୍କା କାରବାର ହୋଇଥିବା ସୂଚନା ମିଳୁଛି। ରାଜ୍ୟ ସରକାରଙ୍କ ଯେଉଁ ସବୁ ଯୋଜନା ଗୁଡିକ ଗରିବ ଅବହେଳିତଙ୍କ ପାଇଁ ଉଦିଷ୍ଟ। ସେଥିରେ ଏଭଳି ରାଜନେତା ଏବଂ ସରକାରୀ ବାବୁଙ୍କ ଲାଞ୍ଚ କାରବାର ଯଦି ବନ୍ଦ ନ ହୁଏ ତେବେ ଆଗାମୀ ଦିନରେ ଏହି ଲାଞ୍ଚ ଏକ ସାଂଘାତିକ ପରିସ୍ଥିତି ସୃଷ୍ଟି କରିବ ବୋଲି ଆଲୋଚନା ହେଉଛି ।