ରାଜ୍ୟର ୧୧୦ଟି ପୌରାଞ୍ଚଳରେ ହେବ ଭୋଟ | ୫୯ଟି ବିଜ୍ଞାପିତ ଅଞ୍ଚଳ ପରିଷଦ, ୪୮ଟି ପୌର ପରିଷଦ ଏବଂ ୩ଟି ମହାନଗର ନିଗମରେ ନିର୍ବାଚନ ହେବ । ଏ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ । ପୌର ନିର୍ବାଚନ ନେଇ ଆଜି ରାଜ୍ୟ ନିର୍ବାଚନ ଆୟୋଗଙ୍କ ଅଧ୍ୟକ୍ଷତାରେ ବସିଥିଲା ସର୍ବଦଳୀୟ ବୈଠକ । ରାଜ୍ୟର ତିନି ପ୍ରମୁଖ ଦଳ ସମେତ ଓ ଅନ୍ୟାନ୍ୟ ଦଳର ପ୍ରତିନିଧି ମାନେ ଏଥିରେ ଯୋଗ ଦେଇଥିଲେ । ବୈଠକରେ ଇଭିଏମରେ ଭୋଟଗ୍ରହଣ ହେବ ବୋଲି ରାଜନୈତିକ ଦଳକୁ ଅବଗତ କରିଥିଲେ ରାଜ୍ୟ ନିର୍ବାଚନ କମିଶନର । ତେବେ ଚେୟାରମ୍ୟାନ ବା ମେୟର ପାଇଁ ସିଧାସଳଖ ନିର୍ବାଚନ ହେବାକୁ ସ୍ଥିର ହୋଇଥିବାରୁ ମତଦାନ କେନ୍ଦ୍ରରେ ଦୁଇଟି ଇଭିଏମରେ ଭୋଟ ଗ୍ରହଣ ପାଇଁ ନିଷ୍ପତ୍ତି ନିଆଯାଇଛି । ଗୋଟିଏ ଇଭିଏମ କାଉନସିଲର, କର୍ପୋରେଟର ଓ ଅନ୍ୟଟି ଚେୟାରମ୍ୟାନ ଓ ମେୟର ପ୍ରାର୍ଥୀଙ୍କ ପାଇଁ ରହିବ । ଏହି ବୈଠକରେ ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ଆଲୋଚନା ହୋଇଛି । ତେବେ ଏଥିରେ ମତଦାନ ସମୟ ନେଇ କେହି କିଛି ପ୍ରସ୍ତାବ ଦେଇନାହାନ୍ତି । ଚିଠା ଭୋଟର ତାଲିକା ପ୍ରକାଶ ପରେ ଫେବୃଆରୀ ୧୧ରୁ ୧୬ ପର୍ଯ୍ୟନ୍ତ ଆପତ୍ତି ଅଭିଯୋଗ କରିହେବ । ୧୮ ତାରିଖରେ ଅଭିଯୋଗ ଉପରେ ହେବ ଶୁଣାଣି । ୨୧ରେ ଜିଲ୍ଲାପାଳ ସ୍ତରରେ ହେବ ଶୁଣାଣି, ପରେ ୨୪ରେ ପ୍ରକାଶ ପାଇବ ଚୂଡାନ୍ତ ଭୋଟର ତାଲିକା । ଫେବୃଆରୀ ୨୮ରେ ଚୂଡ଼ାନ୍ତ ଭୋଟର ତାଲିକା ନିର୍ବାଚନ କମିଶନଙ୍କୁ ଦିଆଯିବ ବୋଲି ବୈଠକରେ ନିଷ୍ପତି ହୋଇଛି ।