୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ଅନେକ ସମୟରେ ନିଜ କର୍ତବ୍ୟ ପରିସରରୁ ବାହାରି ରୋଗୀଙ୍କୁ ସାହାଯ୍ୟ କରୁଥିବା ଅନେକ ଉଦାହରଣ ଆମ ଆଖି ସାମ୍ନାକୁ ଆସିଛି । ଏପରିକି ବିଭିନ୍ନ ପ୍ରତିକୂଳ ପରିସ୍ଥିତି ସତ୍ୱେ ମଧ୍ୟ ଏହି କର୍ମଚାରୀମାନେ ନିଷ୍ଠାର ସହ ନିଜ କର୍ତବ୍ୟ ତୁଲାଇଛନ୍ତି । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲାରେ । ଜିଲ୍ଲାର ତଳଙ୍ଗ ଗାଁର ପ୍ରାୟ ୭ ଜଣ ବ୍ୟକ୍ତି କାଠ ଡଙ୍ଗାରେ ଆସୁଥିବାବେଳେ ଇନ୍ଦ୍ରାବତୀ ମାନେ ଦେବଦୁତ ସାଜି ମଝି ନଈରୁ ସେମାନଙ୍କୁ ଉଦ୍ଧାର କରିଛନ୍ତି | ଜିଲ୍ଲାର ତଳଙ୍ଗ ଗାଁର ପ୍ରାୟ ସାତଜଣ ବ୍ୟକ୍ତି କୌଣସି କାମରେ ଖାତିଗୁଡ଼ା ବଜାରକୁ ଆସିଥିଲେ ଏବଂ ସେଠାରୁ କାମ ସାରିବା ପରେ ଏକ ଛୋଟ କାଠ ଡଙ୍ଗାରେ ଇନ୍ଦ୍ରାବତୀ ନଦୀରେ ପୋଡ଼ାଗଡ଼ ବନ୍ଧ ଦେଇ ଘରକୁ ଫେରୁଥିଲେ । ଅତ୍ୟଧିକ ବେଗରେ ପବନ ବୋହିବା ସହିତ ଡଙ୍ଗାରେ ଛିଦ୍ର ରହିଥିବା କାରଣରୁ ଡଙ୍ଗାରେ ହଠାତ୍ ପାଣି ପଶିଯାଇଥିଲା । ଫଳରେ ଡଙ୍ଗାଟି ପୋଡ଼ାଗଡ଼ ବନ୍ଧ ମଝିରେ ଅଚଳ ହୋଇ ପଡ଼ିଥିଲା | ଦଙ୍ଗାରେ ଥିବା ଜଣେ ବ୍ୟକ୍ତିଙ୍କ ପାଖରେ ୧୦୮ ବୋଟ ଆମ୍ବୁଲାନ୍ସର ଜଣେ କର୍ମଚାରୀଙ୍କ ଫୋନ ନମ୍ବର ଥିଲା । ତେଣୁ ସେ ତୁରନ୍ତ ସେହି କର୍ମଚାରୀଙ୍କୁ ସହାୟତା ମାଗିଥିଲେ । ପରେ ଆମ୍ବୁଲାନ୍ସ କର୍ମଚାରୀ ଗୱାଲା ଜୋଗା ରାଓ, ଅଭୟ କୁମାର ଭୋଳା, ଧର୍ମେନ୍ଦ୍ର ରାଉତ ଏବଂ ତିପେନ୍ଦ୍ର ସା ନବରଙ୍ଗପୁର ଜିଲ୍ଲା ବାରିଆଘାଟଠାରୁ ତୁରନ୍ତ ଏକ ୧୦୮ ବୋଟ ଆମ୍ବୁଲାନ୍ସ ନେଇ ଘଟଣାସ୍ଥଳରେ ପହଂଚିଥିଲେ । ପରେ ସେମାନେ ଡଙ୍ଗାରେ ଫସି ରହିଥିବା ସମସ୍ତ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ଆଣି କୂଳରେ ଛାଡ଼଼ିଛନ୍ତି । ୧୦୮ ବୋଟ ଆମ୍ବୁଲାନ୍ସ କର୍ମଚାରୀମାନଙ୍କର ଏଭଳି ସାହସିକତା ଓ ମାନବିକତା ପାଇଁ ଆଜି ସାତ ସାତୋଟି ମୂଲ୍ୟବାନ ଜୀବନ ବଂଚିଯାଇପାରିଛି | ଏଥିପାଇଁ ସାରା ରାଜ୍ୟରୁ ପ୍ରଶଂସାର ସୁଅ ଛୁଟୁଛି |